କୃଷକ ଆନ୍ଦୋଳନକୁ ପୂରିଲା ବର୍ଷେ : ଦିଲ୍ଲୀ ସୀମାରେ ଏକାଠି ହେଲେ ହଜାର ହଜାର ଚାଷୀ

୩ କୃଷି ଆଇନ ପ୍ରତ୍ୟାହାର ପରେ ବି ଦେଶବ୍ୟାପୀ ପ୍ରତିବାଦ କରିବାକୁ ପ୍ରସ୍ତୁତି

99

କନକ ବ୍ୟୁରୋ : ଆଜି କୃଷକ ଆନ୍ଦୋଳନକୁ ପୂରିଛି ୧ ବର୍ଷ । ଏଥିପାଇଁ ଆଜି ଦିଲ୍ଲୀ ସୀମାରେ ଏକାଠି ହୋଇଛନ୍ତି ହଜାର ହଜାର ଚାଷୀ । ହରିୟାଣା ବହାଦୁରଗଂଜରେ କୃଷକମାନେ ମହାପଂଚାୟତ କରିଛନ୍ତି । କୃଷି ଆଇନ ଉଚ୍ଛେଦ ବିଲକୁ କ୍ୟାବିନେଟ ମଂଜୁରୀ ପରେ ବି ଶକ୍ତି ପ୍ରଦର୍ଶନ କରୁଛନ୍ତି କୃଷକ । ଏମ୍ଏସ୍ପି ଗ୍ୟାରେଂଟି ଓ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନ କରୁଛନ୍ତି କୃଷକ ସଂଗଠନ । ପରବର୍ତୀ ରଣନୀତି ନେଇ ଆସନ୍ତାକାଲି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ବୈଠକ କରାଯିବ ।

ଆସନ୍ତା ୨୯ରେ ଆରମ୍ଭ ହେବାକୁ ଯାଉଥିବା ଶୀତକାଳିନ ଅଧିବେଶନ ଦିନ ସଂସଦ ଅଭିମୁଖେ ଟ୍ରାକ୍ଟର ରାଲି କରିବେ ବୋଲି ସୂଚନା ଦେଇଛନ୍ତି । ଏହି ଶୋଭାଯାତ୍ରାରେ ୬୦ ଟ୍ରାକ୍ଟର ଓ ହଜାରେ ଚାଷୀ ସାମିଲ ହେବେ । ଏମଏସପି ଗ୍ୟାରେଂଟି ପାଇଁ ଆଇନ ଆଣିବା ଓ ଆନ୍ଦୋଳନରତ ୭୫୦ କୃଷକଙ୍କ ପରିବାରକୁ କ୍ଷତିପୂରଣ ଭଳି ୬ଟି ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଚାଷୀ ସଂଗଠନ । ଅନ୍ୟପଟେ ତିନି କୃଷି ଆଇନକୁ ରଦ୍ଦ ବିଲରେ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି । ଆଗାମୀ ଶୀତ ଅଧିବେଶନରେ ଏହାକୁ ଆଗତ କରାଯିବ ଓ ପାରିତ ହେଲେ ବିଧିବଦ୍ଧ ଭାବେ ରଦ୍ଦ ହୋଇଯିବ ତିନି ଆଇନ ।