ନବରଙ୍ଗପୁରରୁ ଆସିଲା ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର । ବେସରକାରୀ କମ୍ପାନୀରୁ ଧାନ ବିହନ କିଣି ଚାଷୀ ହତାଶ

113

କନକ ବ୍ୟୁରୋ : ଧୋକାଦେଲା ବିହନ । ସୁନାର ଫସଲ ଜାଗାରେ ଫମ୍ପା ହେଲା ଧାନ । ଏହି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁରର ଉମରକୋଟରେ । ବେସରକାରୀ କମ୍ପାନୀରୁ ଧାନ ବିହନ କିଣି ହତାଶ ହୋଇଛନ୍ତି ଚାଷୀ ।

ଧାନ ଜମିରେ ଫଳିଛି ସୁନାର ଫସଲ । କ୍ଷେତରେ ସୁନାର ଫସଲ ଦେଖି ଚାଷୀ ବି ବେଶ ଉତ୍ସାହି । ଆଶା ଧାନ ବିକିବ ଦୁଇ ପଇସା ରୋଜଗାର କରିବ ଆଉ ପରିବାର ଚଳିବ । ହେଲେ ଆଶା ଆଶାରେ ରହିଗଲା । ଚାଷୀଙ୍କର ସବୁ ପରିଶ୍ରମ ପାଣିରେ ମିଶିଗଲା । ମହାକାଳ ଫଳ ପରି କ୍ଷେତରେ ଫଳିଥିବା ଧାନ ସବୁ ଅଗାଡ଼ି ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ଉମରକୋଟର ଚାଷୀ ଆଣିଛନ୍ତି ଏଭଳି ଅଭିଯୋଗ ।

ଜଣେ ବ୍ୟବସାୟୀଙ୍କ ଠାରୁ ବୁଲନ୍ଦ ସିଗ୍ନେଟ ୫୦୫୦ ନାମକ ହାଇବ୍ରିଡ଼ ଧାନ ବିହନ କିଣି ଚାଷ କରିଥିଲେ ଉମରକୋଟର ଚାଷୀ । ଏକର ପ୍ରତି ୩୦ରୁ ୩୫ କ୍ୱିଂଟାଲ ଧାନ ଅମଳ ହେବାର ଲୋଭ ଦେଖାଇ ଚଢ଼ା ଦରରେ ଚାଷୀଙ୍କୁ ବିହନ ବିକ୍ରି କରିଥିଲେ ସଂପୃକ୍ତ ବ୍ୟବସାୟୀ । ଅଉ ଏବେ ୫ କ୍ୱିଂଟାଲ ଧାନ ଅମଳ ହେବା ମୁସ୍କିଲ । ଏନେଇ ଚାଷୀମାନେ ସଂପୃକ୍ତ ବିହନ କମ୍ପାନୀର ଅଧିକାରୀଙ୍କୁ ଜଣାଇବାରୁ ସେ ମୋବାଇଲ୍ ସୁଇଚ ଅପ୍ କରି କୁଆଡେ ପଳାଇ ଯାଇଥିବା ଅଭିଯୋଗ ଆଣିଛନ୍ତି ଚାଷୀ ।