ଉପବାସ ରହି କୃଷି ଆଇନର ପ୍ରତିବାଦ କଲେ ଚାଷୀ । ଦିଲ୍ଲୀରେ ଧାରଣା ଦେଲେ ଦେଶର ହଜାର ହଜାର କୃଷକ, ଚାଷୀଙ୍କୁ ସମର୍ଥନ ଜଣାଇ କେଜ୍ରିୱାଲ ରଖିଲେ ଉପବାସ ।

152

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ଆଜି ଦିଲ୍ଲୀ-ହରିୟାଣା ସୀମାରେ ଚାଷୀଙ୍କ ବଡ ଧରଣର ଆନ୍ଦୋଳନ ଦେଖିବାକୁ ମିଳିଛି । କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସବୁ ସୀମାରେ ଚାଷୀମାନେ ଦିନିକିଆ ଅନଶନ କରିଛନ୍ତି । କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବି ଆଜି ଦିନକ ପାଇଁ ଉପବାସ ରଖିଥିଲେ । ତେବେ ଆଲୋଚନା ପାଇଁ ନୂଆ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

୮ ତାରିଖରେ ଭାରତ ବନ୍ଦ, ଆଜି ଚାଷୀଙ୍କ ଉପବାସ ପ୍ରତିବାଦ । ନୂଆ କୃଷି ଆଇନର ପ୍ରତ୍ୟାହାର ଦାବିରେ ଉପବାସ ରହି ମୋଦୀ ସରକାରଙ୍କୁ ସେମାନଙ୍କ ଆଭିମୁଖ୍ୟ ଜଣାଇ ଦେଇଛନ୍ତି ହଜାର ହଜାର ଚାଷୀ । ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରତିବାଦ ଓ ବିକ୍ଷୋଭ ଦେଖିବାକୁ ମିଳିଛି । ଦିଲ୍ଲୀର ସିଂଘୁ ସୀମାରେ ପଂଜାବ, ହରିୟାଣାର ଚାଷୀଙ୍କ ସହ ଓଡ଼ିଶା, ରାଜସ୍ଥାନ ଓ ବିଭିନ୍ନ ରାଜ୍ୟର ଚାଷୀ ଏକାଠି ହୋଇ କୃଷି ଆଇନ ବିରୋଧରେ ବିକ୍ଷୋଭ କରିଛନ୍ତି । ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ନିଜ ନିଜ ଢଙ୍ଗରେ ପ୍ରତିବାଦ କରିଛନ୍ତି ଚାଷୀ ।

କୃଷି ସଂଗଠନର ଡାକରାରେ ସକାଳ ୮ଟାରୁ ଦିନିକିଆ ଉପବାସ ଆରମ୍ଭ କରିଥିଲେ ଚାଷୀ । ବିଭିନ୍ନ ରାଜ୍ୟର ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ ଧାରଣା ଦିଆଯାଇଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପବାସ ରହି ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି । ଦିନକୁ ଦିନ ଆନ୍ଦୋଳନ ତେଜୁଥିବାରୁ ମୋଦୀ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ବୈଠକ ପରେ ବୈଠକ ବସୁଛି ପାୱାର କରିଡରରେ । ତେବେ କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତିି, କୃଷି ଆଇନର ପ୍ରତ୍ୟାହାର କରାଯିବନି, କିନ୍ତୁ ଆଇନର ପ୍ରତ୍ୟକ ଧାରା ଉପରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ।

ଧାରଣା, ପ୍ରତିବାଦ, ବିକ୍ଷୋଭ ଭିତରେ ୧୯ ଦିନରେ ପହଁଚିଛି ଚାଷୀ ଆନ୍ଦୋଳନ । ଶୀତ କାକରରେ ଦିନ ରାତି ଦିଲ୍ଲୀ ସୀମାରେ ଧାରଣା ଦେଇଛନ୍ତି ହଜାର ହଜାର ଚାଷୀ । ବିରୋଧୀ ଦଳଗୁଡିକ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି । ନୂଆ କୃଷି ଆଇନକୁ କେନ୍ଦ୍ର ସରକାର ଐତିହାସିକ ବୋଲି ବର୍ଣ୍ଣନା କରୁଛନ୍ତି, ହେଲେ ଚାଷୀ ସଂଗଠନ ଏପରି ଯୁକ୍ତିକୁ ମାନିବାକୁ ରାଜି ନୁହଁନ୍ତି, କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଚାଷୀ ।