କନକ ବ୍ୟୁରୋ: ଖରାଦିନରେ ତରଭୁଜର ଚାହିଦା ରୁହେ । ଖରା ତରାରୁ ଆସିଲେ ତରଭୁଜ ଟିକେ ଖାଇବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା ହୁଏ । ତେଣୁ ଖରା ଦିନେ ତରଭୁଜ ଭଲ ବିକ୍ରି ହେବ । ଏହି ଆଶାରେ ତରଭୁଜ ଚାଷ କରିଥିଲେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଶହଶହ ଚାଷୀ । ହେଲେ ଏବେ ତରଭୁଜ ଚାଷରେ ଅଜଣା ପୋକ ଲାଗିବାରୁ ଗଛ ମରି ଯାଉଥିବା ବେଳେ ଫଳୁନି ତରଭୁଜ ।
ଏବେ ବଜାରରେ ତରଭୁଜ କିଲୋ ପ୍ରତି ପ୍ରାୟ ୨୦ ଟଙ୍କା । ଗ୍ରାହକ ୨୦ ଟଙ୍କା ଦେଇ ତରଭୁଜ କିଣି ଖାଉଥିବା ବେଳେ ତରଭୁଜ ବିକି ଦୁଇ ପଇସା ରୋଜଗାର କରିବା ଆଶାରେ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି ଅଜଣା ପୋକ । ପୋକ ଲାଗିବାରୁ ଗଛ ଗୁଡିକ ମରିଯାଉଛି । ଆଉ ଯେଉଁ ଗଛରେ ଫଳ ଧରିଛି ସେଗୁଡିକ ଠିକ୍ ଭାବେ ବଢୁନାହିଁ । ଅମଳ ବେଳେ ତରଭୁଜ ଗଛରେ ପୋକ ଲାଗିବାକୁ ଅମଳ ଆଶା ଛାଡି ଦେଇଛନ୍ତି କେନ୍ଦ୍ରପଡା ରାଜକନିକା ବ୍ଲକ ଜୟକୁଣ୍ଡା, ପତ୍ରପୁରୁ, ଡାହାଣିଗିରି ଓ ବାଜପୁର ଗାଁର ଶହଶହ ଚାଷୀ ।
ଜୟକୁଣ୍ଡା, ପତ୍ରପୁରୁ, ଡାହାଣିଗିରି ଓ ବାଜପୁର ଗାଁରେ ଶହଶହ ହେକ୍ଟର ଜମିରେ ତରଭୁଜ ଚାଷ ହୋଇଛି । ଏଠାକାର ଚାଷୀ ପ୍ରତିବର୍ଷ ଏହି ସମୟରେ ତରଭୁଜ ଅମଳ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବଜାର ସମେତ, ଭଦ୍ରକ, ବାଲେଶ୍ୱରକୁ ବିକ୍ରି ପାଇଁ ପଠାଇଥାନ୍ତି । ହେଲେ ଏଥର ତରଭୁଜ ଗଛରେ ପୋକ ଲାଗିଛି । ଅଜଣା ପୋକ ଦମନ ପାଇଁ ଚାଷୀ ବିଭିନ୍ନ ପ୍ରକାର ଔଷଧ ପ୍ରୟୋଗ କଲେ ବି କିଛି ସୁଫଳ ମିଳୁନାହିଁ । ତେଣୁ ଚାଷୀଙ୍କର ତରଭୁଜ ଅମଳ ଆଶା ମରି ଯାଇଛି । ସେପଟେ ତରଭୁଜ ଚାଷରେ ପୋକ ଲାଗିବା ଖବର ଜିଲ୍ଲାପଳଙ୍କୁ ଜଣାଇଥିବା କହିଛନ୍ତି ଉଦ୍ୟାନ କୃଷି ବିଭାଗ ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/6-29.jpg)