ପାଖରେ ଜମି ଅଛି, ହେଲେ ଚାଷ କରିପାରୁନାହାଁନ୍ତି ଚାଷୀ । ଜମିରେ ବର୍ଯ୍ୟବସ୍ତୁ ଗଦା କରିଛି ଓଏମସି । ନିରୀହ ଆଦିବାସୀ ପ୍ରତିବାଦ କଲେ ଓଲଟା ଦେଖାଉଛି ନାଲି ଆଖି ।

97

କନକ ବ୍ୟୁରୋ: ହାତରେ ଜମିର ପଟ୍ଟା ଅଛି, ହେଲେ ଚାଷ କରିପାରୁ ନାହାଁନ୍ତି ଚାଷୀ । କେନ୍ଦୁଝର ବାଂଶପାଳ ବ୍ଲକର ଉପର କଇଁସାରିର ରୁଗୁଡି ସାହି ଖଣି ତଳେ ଥିବା ଏକ ଗ୍ରାମରେ ଆଦିବାସୀମାନେ ଜୀବନ ଜୀବିକା ପାଇଁ ଏବେ ସଂଘର୍ଷ କରୁଛନ୍ତି । ସେମାନଙ୍କ ପାଖରେ ପଟ୍ଟା ଥିଲେ ବି ଜମି ଉପରେ ବର୍ଯ୍ୟବସ୍ତୁ ଗଦା କରିଛନ୍ତି ଓଏମସି କର୍ତ୍ତୃପକ୍ଷ । ଆଉ ତା ପରେ ବି ନିରୀହ ଆଦିବାସୀ ଏହାର ପ୍ରତିବାଦ କଲେ ବି ଶୁଣିବାକୁ କେହି ନାହାଁନ୍ତି । ଓଲଟା ନାଲି ଆଖି ଦେଖାଉଛି ଓଏମସି ।

ଜମିରେ ଚାଷ କରି ନପାରିବାରୁ କିଏ ବଞ୍ଚିବା ପାଇଁ କିଏ ମୂଲ ଲାଗୁଛି ତ ଆଉ କିଏ ଗାଈ ଚରାଇବାକୁ ବାଧ୍ୟ ହେଉଛି । ଖଣି ଯୋଗୁଁ ପ୍ରଭାବିତ ହେଉଥିବା ଲୋକଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ଥିବାରୁ ସେଭଳି କୌଣସି ସୁବିଧା ଯୋଗାଇ ଦେଇନି ଓଏମସି । ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ପ୍ରଶାସନର ଏହି ପ୍ରତିଶ୍ରୁତି ସତରେ କାର୍ଯ୍ୟକାରୀ ହେଉଛି କି ନାହିଁ ଏବଂ ଏହି ନିରିହ ଆଦିବାସୀ ମାନଙ୍କୁ ନ୍ୟାୟ ମିଳୁଛି କି ନାହିଁ ତା ଉପରେ ନଜର ।