କୁଆପଥର ବର୍ଷା ମାଡରେ ଭାଙ୍ଗି ଯାଇଛି ଚାଷୀର ମେରୁଦଣ୍ଡ । ପାଣିରେ ପଡି ଗଜା ହୋଇଗଲା ପାଚିଲା ଧାନ, ଚିନ୍ତାରେ ଚାଷୀ ପରିବାର ।

221

କନକ ବ୍ୟୁରୋ: ଚାଷୀଙ୍କ ପାଇଁ କାଳ ହେଲା କାଳବୈଶାଖୀ । ଧାନ ଅମଳ ବେଳେ ଚାଷୀଙ୍କ ଆଶାକୁ ଧୋଇ ନେଲା ଅଦିନିଆ ବର୍ଷା । କାଳବୈଶାଖୀ ବର୍ଷା ସହ ପବନ ଚାଷୀଙ୍କ ସ୍ୱପ୍ନକୁ ପାଣିରେ ଭସେଇ ଦେଇଛି । ପାଚିଲା ଧାନ ବର୍ଷା ପାଣିରେ ପଡି ଗଜା ହୋଇ ଯାଇଛି । ପାଣି ସରସର କିଆରିରୁ ଗଜା ହୋଇଥିବା ଧାନକୁ ଅମଳ କରିବା ପାଇଁ ଅଂଟା ଭିଡିଛି ଚାଷୀ । ଚାଷୀଙ୍କ ଏଭଳି ଦୁଃଖଦ ଖବର ଆସିଛି ବରଗଡ ଜିଲ୍ଲା ପଦ୍ମପୁର ଉପକଣ୍ଠରୁ ।

ପବନରେ ଭାଙ୍ଗି ଜମିରେ ଶୋଇଛି ଧାନ ଗଛ । ପାଣିରେ ପଡି ଗଜା ହୋଇଛି ଅମଳକ୍ଷମ ପାଚିଲା ଧାନ । ଆଉ ଅଦିନିଆ ବର୍ଷାରେ ଭାସି ଯାଇଛି ଚାଷୀଙ୍କ ଆଶା ଭରସା । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଳକରେ ଚାଷୀଙ୍କ ପାଇଁ କାଳ ହୋଇଛି କାଳବୈଶାଖି ବର୍ଷା । କରୋନା କଟକଣାରୁ ଚାଷୀ ମୁକୁଳିଛନ୍ତି ହେଲେ ବର୍ଷା କୋପରୁ ବର୍ତିପାରି ନାହାନ୍ତି । ରାଜବୋଡାସମ୍ବର ବ୍ଲକରେ ରବି ଋତୁରେ ଶହ ଶହ ଏକର ଜମିରେ ଧାନ ଚାଷ ହୋଇଛି । ଆଉ ଧାନ ଅମଳ ବେଳେ ଚାଷୀଙ୍କ ପାଇଁ ଦୁଃଖର କାରଣ ହୋଇଛି ଅଦିନିଆ ବର୍ଷା ।

ବର୍ଷା ପବନ ପରେ ବିଲରେ ପାଣି ଜମି ରହିଛି । ଆଉ ପାଣିରେ ବୁଡି ଧାନ ଗଛଗୁଡିକ ସଢି ଯାଉଛି । ଆଉ କେଣ୍ଡାରେ ହିଁ ଗଜା ହୋଇଯାଇଛି ଧାନ । ବର୍ତମାନ ପରିସ୍ଥିତିରେ ଲୋକ ଲଗେଇ କାମ କରିବା ସମ୍ଭବ ହେଉନଥିବାରୁ ଚାଷୀ ନିଜେ ଧାନକୁ ପାଣିରୁ ଛାଣି ଅମଳ କରିବାକୁ ଚେଷ୍ଟା କରୁଛନ୍ତି । ବର୍ଷା ଯୋଗୁଁ ଫସଲ ଉଜୁଡି ଯିବା ପରେ କରଜ କରି ଚାଷ କରିଥିବା ଚାଷୀଙ୍କ ମଧ୍ୟରେ ଭାଳେଣି ପଡିଛି । କରୋନା ବେଳେ କାଳବୈଶାଖୀ ଯୋଗୁଁ ପ୍ରଭାବିତ ହୋଇଥିବା ଚାଷର କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇ ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି ଚାଷୀ ।