ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ଚାଷୀ ସଂଗଠନ ରଖିଲା ଉତ୍ତର । କହିଲେ ଆରମ୍ଭରୁ କୌଣସି ରାଜନୈତିକ ଦଳକୁ ମଂଚରେ ଦେଇନୁ ସୁଯୋଗ

122

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କଲେ କୃଷକ ସଂଗଠନ । ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିବା ରାଜନୈତିକ ଦଳ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରିକି ସରକାରଙ୍କ ବିରୋଧରେ ଚାଷୀଙ୍କୁ ବିରୋଧୀ ବ୍ୟବହାର କରୁଛନ୍ତି ବୋଲି ମୋଦି କହିଥିଲେ । ହେଲେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି କୃଷି ସଂଗଠନଗୁଡିକ । ଦିଲ୍ଲୀରେ ପ୍ରାୟ ମାସେ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀ, କୌଣସି ରାଜନୈତିକ ଦଳକୁ ସେମାନଙ୍କ ମଂଚ ବ୍ୟବହାର କରିବା ପାଇଁ ଦେଇନଥିବା ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଆଳରେ ଚାଷୀ ସଂଗଠନଗୁଡିକୁ ବିଭାଜନ କରିବାକୁ ଚାହୁଁଥିବା ସେମାନେ ପାଲଟା ଅଭିଯୋଗ ଆଣିଛନ୍ତି । ସାଧାରଣ ସଭାରେ ଏମଏସପି ରହିବ ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି । ତାହାହେଲେ ଏମଏସପିକୁ ନ୍ୟାୟିକ ସୁରକ୍ଷା ଦେବାପାଇଁ ସରକାର କାହିଁକି ଡରୁଛନ୍ତି ବୋଲି ସେମାନେ ପାଲଟା ପ୍ରଶ୍ନ କରିଛନ୍ତି ।

ସେପଟେ ଚାଷୀ ସଂଗଠନଗୁଡିକୁ ପୁଣିଥରେ ଆଲୋଚନା ଟେବୁଲକୁ ଆସିବା ପାଇଁ ଏକ ଚିଠି ଲେଖିଥିଲେ କୃଷି ମନ୍ତ୍ରାଳୟର ସଚିବ । ଏନେଇ ଆଜି କୃଷି ସଂଗଠନଗୁଡିକ ଆଲୋଚନା କରି ନିଷ୍ପତି ନେବେ । ପ୍ରାୟ ୪୦ଟି କୃଷି ସଂଗଠନକୁ ନେଇ ମିଳିତ କିଷାନ ମୋର୍ଚ୍ଚା ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବ ବୋଲି ଜଣାପଡିଛି । ଫଳରେ ସରକାର ଓ କୃଷି ସଂଗଠନଗୁଡିକ ମଧ୍ୟରେ ପୁଣିଥରେ ଆଲୋଚନାର ରାସ୍ତା ବାହାରି ପାରେ । ଉଭୟ ପକ୍ଷ ମଧ୍ୟରେ ପ୍ରାୟ ୬ ରାଉଣ୍ଡ ବୈଠକ ସତ୍ୱେ ସମାଧାନର କୌଣସି ରାସ୍ତା ବାହାରି ପାରିନଥିଲା । ଏହାପରେ ଆଲୋଚନା ଏକପ୍ରକାର ବନ୍ଦ ହୋଇଯାଇଛି । କୃଷକମାନଙ୍କ ସମସ୍ତ ଦାବି ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବାରମ୍ବାର କହିଆସୁଛନ୍ତି ।