ଏଥର ଶୀତ ଅଧିବେଶନକୁ ଅଧିକ ସରଗରମ କରିବ ଚାଷୀ ପ୍ରସଙ୍ଗ : ଜାଣନ୍ତୁ ଚାଷୀମାନଙ୍କ କ’ଣ ରହିଛି ନୂଆ ଦାବି ?

70

କନକ ବ୍ୟୁରୋ : ଏଥର ଶୀତ ଅଧିବେଶନକୁ ସବୁଠୁ ଅଧିକ ସରଗରମ କରିବ ଚାଷୀ ପ୍ରସଙ୍ଗ । ଯଦିଓ ଚାଷୀ ପ୍ରସଙ୍ଗରେ ବିରୋଧୀ ରଣନୀତିକୁ ଭଣ୍ଡୁର କରିବା ପାଇଁ ମୋଦୀ ସରକାର କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି । ଏବଂ ଏ ସଂପର୍କିତ ବିଲ ଆଣିବାକୁ ଯୋଜନା କରିଛନ୍ତି । ହେଲେ ଏମଏସପିକୁ ଆଇନ ଆକାରରେ ଆଣିବା ପାଇଁ ଚାଷୀ ସଂଗଠନ କରୁଥିବା ଦାବିକୁ ସମର୍ଥନ କରି ସରକାରଙ୍କ ଉପରେ ଚାପ ପକାଇବାକୁ ବିରୋଧୀ ରଣନୀତି କରିସାରିଛନ୍ତି ।

ସେହିପରି ଦରବୃଦ୍ଧି ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କ ଘେରାବନ୍ଦୀ ହେବ । ପେଟ୍ରୋଲ, ଡିଜେଲ ଦର ସାମାନ୍ୟ କମିଥିଲେ ମଧ୍ୟ ରୋଷେଇ ଗ୍ୟାସ ଦର ମହଙ୍ଗା ରହିଛି । ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ମହଙ୍ଗା ରହିଛି । ଅନ୍ୟପକ୍ଷରେ ବେରୋଜଗାରି ବଢି ଚାଲିଥିବାରୁ ସରକାରଙ୍କୁ ବିରୋଧୀ ଆକ୍ରମଣର ସାମ୍ନା କରିବାକୁ ପଡିବ । ପେଗାସସ ଗୁଇନ୍ଦାଗିରି ପ୍ରସଙ୍ଗ ମଧ୍ୟ ଏଥର ଶୀତ ଅଧିବେଶନକୁ ସରଗରମ କରିବା ସଂକେତ ମିଳୁଛି । ଗୁଇନ୍ଦା ସଫ୍ଟୱେୟାର ଜରିଆରେ ସରକାର ବିରୋଧୀଙ୍କ ଗୋପନୀୟତାକୁ କ୍ଷୁଣ୍ଣ କରିବା ସହ ବ୍ୟକ୍ତିଗତ ସ୍ୱାଧୀନତାକୁ ହନନ କରୁଥିବା ଅଭିଯୋଗ ରହିଛି । ଚୀନର ବିସ୍ତାରବାଦ ଏବଂ ଭାରତୀୟ ସୀମାରେ ଅନୁପ୍ରବେଶ ପ୍ରସଙ୍ଗ ମଧ୍ୟ ପ୍ରମୁଖ ପ୍ରସଙ୍ଗ ପାଲଟିବ ।

ଚାଷୀମାନଙ୍କ ନୂଆ ଦାବି :
– ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ୟାହାର ଦାବି
– କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତାଙ୍କ ପଦରୁ ହଟାଇବାକୁ ଦାବି
– ମୃତ ଚାଷୀଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ
– ଆଇନ ଜରିଆରେ ଏମଏସପି ଆଣି ଚାଷୀଙ୍କୁ ଉତ୍ପାଦର ଉଚିତ ମୂଲ୍ୟ ପ୍ରଦାନ
– ବିଜୁଳି ବିଲ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର କରି ଚାଷୀଙ୍କୁ ଆଶ୍ୱାସ୍ତି ପ୍ରଦାନ
– କ୍ଷେତରେ ନଡ଼ା ଜାଳିଲେ ରହିଥିବା ଦଣ୍ଡ ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର