କୃଷକ ଆନ୍ଦୋଳନ କାରଣରୁ ଚାଷୀ ମୃତ୍ୟୁର କୌଣସି ପ୍ରମାଣ ନାହିଁ । ସହାୟତା କାହାକୁ ? : କୃଷିମନ୍ତ୍ରୀ

140

କନକ ବ୍ୟୁରୋ : କୃଷି ଆଇନ ବିରୋଧରେ ୧ ବର୍ଷରୁ ଅଧିକ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି କୃଷକମାନେ । ଏହି ଆନ୍ଦୋଳନ ବେଳେ ୭୦୦ ରୁ ଅଧିକ ଚାଷୀଙ୍କ ମୃତ୍ୟୁ ହୋଇଥିବା ନେଇ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଦାବି କରୁଥିବା ବେଳେ ଏହାକୁ ଆଜି ଲୋକସଭାରେ ଖାରଜ କରିଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମର । ଲୋକସଭାରେ ଏକ ଲିଖିତ ଜବାବରେ ତୋମର କହିଛନ୍ତି କି “କୃଷି ମନ୍ତ୍ରଣାଳୟ ପାଖରେ କିଷାନ ଆନ୍ଦୋଳନ ବେଳେ କୌଣସି ଚାଷୀଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ନାହିଁ , ତେଣୁ ସେମାନଙ୍କ ପରିବାରକୁ ସହାୟତା ଯୋଗାଇଦେବାର ପ୍ରଶ୍ନ ଉଠୁନାହିଁ”

ଲୋକସଭାରେ ଏକ ପ୍ରଶ୍ନରେ ପଚାରା ଯାଇଥିଲା କି ସରକାରଙ୍କ ପାଖରେ ସୂଚନା ଅଛି କି କୃଷକ ଆନ୍ଦୋଳନ କ୍ରମରେ କେତେଜଣ କୃଷକ ମୃତ୍ୟୁବରଣ କରିଛନ୍ତି ? ସରକାର ମୃତ କୃଷକଙ୍କ ପରିବାରକୁ ସହାୟତା ଦେବେ କି ? ଏନେଇ ସରକାର ବିସ୍ତୃତ ସୂଚନା ଦେବାକୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ କୃଷିମନ୍ତ୍ରୀ ତୋମର କହିଛନ୍ତି କି ଆନ୍ଦୋଳନ କ୍ରମରେ କୌଣସି କୃଷକଙ୍କ ମୃତ୍ୟୁ ହୋଇଥିବା ନେଇ କୃଷି ମନ୍ତ୍ରଣାଳୟ ପାଖରେ କୌଣସି ଡାଟା ନାହିଁ ।

କହିରଖୁ କି ଦୀର୍ଘ ୧ ବର୍ଷର ଆନ୍ଦୋଳନ ପରେ ପ୍ରଧାନମନ୍ତ୍ରୀ ଉଭୟ ସଂସଦରେ ପାରିତ ହୋଇଥିବା ୩ ଟି କୃଷିଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ ଓ ଏହା ବି ସଂସଦରେ ପାରିତ ହୋଇସାରିଛି । ହେଲେ ଆନ୍ଦୋଳନରତ କୃଷକମାନେ ଏବେ ବି ଆନ୍ଦୋଳନ ଜାରି ରଖିଛନ୍ତି । ସେମାନେ ଦାବି କରିଛନ୍ତି କି ସରକାର କୃଷି ଉତ୍ପାଦିତ ସାମଗ୍ରୀ ଉପରେ ଦେଉଥିବା ସହାୟକ ମୂଲ୍ୟକୁ ଆଇନ ପରିସରକୁ ଆଣନ୍ତୁ, ଏହାସହ ଆନ୍ଦୋଳନ ବେଳେ ମୃତ୍ୟୁବରଣ କରିଥିବା କୃଷକମାନଙ୍କ ପରିବାରକୁ ସହାୟତା ଯୋଗାଇ ଦିଅନ୍ତୁ ।