ସମୟ ଗଲାଣି ହେଲେ ଚାଷୀଙ୍କୁ ମିଳିଲା ନାହିଁ ଚିନାବାଦାମ ବିହନ । ୩୪ ହଜାର କ୍ୱିଣ୍ଟାଲ ବାଦାମ ବିହନ ଦରକାର ଥିବା ବେଳେ ମିଳିଛି ମାତ୍ର ୩୦୦ କ୍ୱିଣ୍ଟାଲ ବିହନ

61

କନକ ବ୍ୟୁରୋ : ଚିନାବାଦାମ ବିହନ ଯୋଗାଇବାରେ ବିଫଳ ସରକାର । ଚଳିତ ବର୍ଷ ବିହନ ଲଗାଇବା ସମୟ ସରିବାକୁ ବସିଥିବା ବେଳେ ଚାଷୀଙ୍କ ପାଖରେ ଏଯାଏଁ ପହଂଚି ପାରିଲା ନାହିଁ ସରକାରୀ ବିହନ । ପଂଳରେ ଚାଷୀ ଚଢ଼ା ଦରରେ ଖୋଲା ବଜାରରୁ ବିହନ କିଣିବାକୁ ବାଧ୍ୟ ହୋଇଛି । ଜିଲ୍ଲାରେ ମୋଟ ୩୪ ହଜାର କୁଇଂଟାଲ ବାଦାମ ବିହନ ଆବଶ୍ୟକତା ଥିବା ବେଳେ ସରକାର ଯୋଗାଇଛନ୍ତି ମାତ୍ର ୩୦୦ କୁଇଂଟାଲ ବିହନ । ଏଭଳି ସ୍ଥିତିରେ ଚିନାବାଦାମ ଚାଷ ଗୁରୁତର ପ୍ରଭାବିତ ହେବା ନେଇ ଆଶଙ୍କା ଦେଖାଦେଇଛି ।

ଗଡିଯାଉଛି ଚିନାବାଦାମ ଚାଷର ସମୟ । ଚିନାବାଦାମର କୋଡାଖୁସା ସମୟ ହୋଇଥିଲେ ମଧ୍ୟ ଏଯାଏଁ ସରକାର ବିହନ ଯୋଗାଇ ପାରିଲେ ନାହିଁ । ଚାଷୀ ସରକାରୀ ବିହନକୁ ଅନାଇ ଅନାଇ ବିଲ ପଡିଆ ପଡିଲାଣି । ଆଉ କେତେକ ଚାଷୀ ଧାରକରଜ କରି ଚଢ଼ା ଦରରେ ଖୋଲା ବଜାରରୁ ବିହନ କିଣି ଚାଷ ଆରମ୍ଭ କରିଛନ୍ତି । ପ୍ରତିବର୍ଷ ଏହି ସମସ୍ୟା ଚାଷୀ ଭୋଗୁଥିଲେ ହେଁ ସରକାର ଏଥିପ୍ରତି କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ଯାଜପୁର ଜିଲ୍ଲାର ୧୦ଟି ବ୍ଲକର ୨୩,୬୦୦ ହେକ୍ଟରରେ ଚିନା ବାଦାମ ଚାଷ ହୁଏ । ଏଥିପାଇଁ ୩୪ ହଜାର କ୍ୱିଂଟାଲ ବିହନ ଆବଶ୍ୟକ ହୁଏ । ଚଳିତ ବର୍ଷ ଜିଲ୍ଲାକୁ ୨୦୦୦ କ୍ୱିଂଟାଲ ବିହନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ହେଲେ ଏଯାଏଁ ମାତ୍ର ୩୦୦ କ୍ୱିଂଟାଲ ବିହନ ଯୋଗାଇଛନ୍ତି । ସମବାୟ ସମିତି ମାଧ୍ୟମରେ ୨୪୦ କ୍ୱିଂଟାଲ ବିହନ ଚାଷୀ ନେଇଛନ୍ତି । ଚାଷ ସମୟ ଗଡି ଯାଉଥିବା ବେଳେ ସରକାର ଆବଶ୍ୟକ ବିହନ ଯୋଗାଇ ପାରୁନଥିବାରୁ ଚାଷୀ ମହଲରେ ଅସନ୍ତୋଷ ବଢୁଛି । ସେପଟେ ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି ଜିଲ୍ଲା କୃଷି ଅଧିକାରୀ ।

ଯାଜପୁରର ଚିନାବାଦାମ ଚାଷୀଙ୍କୁ ବିହନ ଯୋଗାଇ ଦେବା ଦାବିରେ ଏକାଧିକ କୃଷକ ସଂଗଠନ ଅନେକ ଥର ସରକାରଙ୍କୁ ଜଣାଇଛନ୍ତି, ତଥାପି କୌଣସି ସୁପଂଳ ନମିଳିବା ଦୁର୍ଭାଗ୍ୟ ଜନକ ।