କୂଳ ଲଂଘୁଛି ନଦୀ । ନଦୀ ଗର୍ଭରେ ଲୀନ ହେବାକୁ ବସିଛି ଶହ ଶହ ହେକ୍ଟର ଚାଷଜମି

118

କନକ ବ୍ୟୁରୋ : କୂଳ ଲଂଘୁଛି ନଦୀ । ନଦୀ ଗର୍ଭରେ ଲୀନ ହେବାକୁ ବସିଛି ଶହ ଶହ ହେକ୍ଟର ଚାଷଜମି । ନଦୀ ବନ୍ଧରୁ ବଡ ବଡ ଅତଡା ଖସି ପଡୁଛି । ଫଳରେ ଫସଲ ନଷ୍ଟ ହେଉଛି । ଖାଲି ସେତିକି ନୁହେଁ ନଦୀରେ ବନ୍ୟା ଆସି ଚାଷ ଜମିରେ ବାଲି ଚରି ଯାଉଛି । ନଦୀର ଏପରି କରାଳ ରୁପକୁ ଦେଖି ଚିନ୍ତାରେ ନଦୀ କୁଳିଆ ବାସିନ୍ଦା ।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ, ଗରଦପୁର ଏବଂ ମହାକାଳପଡା ବ୍ଲକ ଦେଇ ବହିଯାଇଛି ଲୁଣା, ଚିତ୍ରତ୍ପୋଳା, ପାଇକା, କରାଣ୍ଡିଆ ଏବଂ ମହାନଦୀ । ଆଉ ଏବେ ନଦୀ ବନ୍ଧରୁ ଅତଡା ଖସିବାରୁ ପଠାରେ ଥିବା ଶହ ଶହ ହେକ୍ଟର ଚାଷ ଜମି ଏବେ ନଦୀ ଗର୍ଭରେ ଲୀନ ହେବାକୁ ବସିଛି । ମାର୍ଶାଘାଈ ଏବଂ ଗରଦପୁର ବ୍ଲକରେ ଲୁଣା ଏବଂ ଚିତ୍ରତ୍ପୋଳା ନଦୀର ଜୁଆର ମାଡରେ ଅତଡା ଧସୁଛି । ଚାଷୀ ସକାଳୁ ଦେଖି ଥିବା ଚାଷ ଜମି ସଂଧ୍ୟା ବେଳକୁ ନଦୀ ଗର୍ଭରେ ଲୀନ ହୋଇଯାଉଛି । ଜମି ସିନା ନଦୀର ଲୀନ ହୋଇ ଯାଇଛି, ଆଜି ବି ଜମିର ଖଜଣା ଭରୁଛନ୍ତି ଚାଷୀ ।

ବନ୍ଧରୁ ଅତଡା ଧସି ଚାଷ ଜମି ନଦୀ ଗର୍ଭରେ ଲୀନ ହେବା ସମସ୍ୟା ଦୀର୍ଘଦିନର । ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଜଳସେଚନ ବିଭାଗ ପକ୍ଷରୁ ନଦୀଗୁଡିକର ଦୁଇପଟରେ ପଥର ପ୍ୟାକିଂ କରାଯାଉଛି । ଅତାଡା ଖାଉଥିବା ସ୍ଥାନ ଗୁଡିକ ଜଳସେଚନ ବିଭାଗ ପକ୍ଷରୁ ଚିହ୍ନଟ କରାଯିବା ସହ ଯୁଦ୍ଧ କାଳିନ ଭିତିରେ ପଦକ୍ଷେପ ନେବାକୁ ସ୍ଥାନିୟ ଅଂଚଳରେ ଦାବି ହେଉଛି ।