ଓଡିଶାରେ ଚାଷୀଙ୍କ ଚକାଜାମ ଆନ୍ଦୋଳନ : ସମ୍ବଲପୁର, ଜୟପୁର, ବାଲେଶ୍ୱରରେ ରାସ୍ତା ରୋକକରି ଚାଷୀଙ୍କ ଚକାଜାମ; ଭୁବନେଶ୍ୱର ହଂସପାଳରେ ପ୍ରତିବାଦ ବେଳେ ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ

79

କନକ ବ୍ୟୁରୋ : ଆଜି ଦେଶବ୍ୟାପୀ ଚକା ଜାମ୍ କରୁଛନ୍ତି ଚାଷୀ ସଂଗଠନ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ୩ ଘଂଟା ଧରି ଅଖ,ଚକ ଜାମ କରୁଛନ୍ତି ଚାଷୀ ସଂଗଠନ ।  ମିଳିଥିବା ସୂଚନା ଅନୁଯାୟୀ, କଟକ- ଭୁବନେଶ୍ୱର ରାସ୍ତାରେ ହଂସପାଳଠାରେ ଜାତୀୟ ରାଜପଥରେ ଚାଷୀଙ୍କ ଚକାଜାମ୍ ଜାରି ରହିଛି। ଏହାଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଜାତୀୟ ରାଜପଥର ଉଭୟ ପଟେ ଶହଶହ ସଂଖ୍ୟକ ଗାଡ଼ି ଅଟକି ରହିଛି ।

ଚାଷୀଙ୍କ ଚକାଜାମ୍ ଆନ୍ଦୋଳନର ପ୍ରଭାବ ସମ୍ବଲପୁର ଜିଲ୍ଲାରେ ବିଶେଷ ଭାବେ ଅନୁଭୁତ ହୋଇଛି । ସମ୍ବଲପୁର ଜିଲ୍ଲାର ତାଲବରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ପକ୍ଷରୁ କୃଷି ଆଇନକୁ ବିରୋଧ କରିଛନ୍ତି ଚାଷୀ । ଚାଷୀଙ୍କ ଏହି ଆନ୍ଦୋଳନ ଯୋଗୁଁ ସମ୍ବଲପୁର-ଝାରସୁଗଡ଼ା ରାସ୍ତାରେ ଶହ ଶହ ଗାଡ଼ିମଟର ଅଟକି ରହିଛି । ଯେ ପର୍ଯନ୍ତ ଏହି ଆଇନ୍କୁ ପ୍ରତ୍ୟାହାର କରାନଯାଇଛି, ସେ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ଚାଷୀ ନେତା ଚେତାବନୀ ଦେଇଛନ୍ତି ।

ଜୟପୁରରେ ଟ୍ରାଫିକ ଛକରେ ଚକାଜାମ ଆନ୍ଦୋଳନ କରିଛନ୍ତି ଚାଷୀ । ଜୟପୁର ସହର ସମେତ କୋରାପୁଟ ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନ, କୃଷକ କଲ୍ୟାଣ ସଂଗଠନ, ବାମଦଳର ନେତା ଓ କର୍ମୀମାନେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିଥିଲେ ।

ବାଲେଶ୍ୱରରେ ବି ଦେଖିବାକୁ ମିଳିଛି ଚାଷୀଙ୍କ ଚକାଜାମ ପ୍ରତିବାଦ । ଦିନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଜିଲ୍ଲାରେ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି । ବାଲେଶ୍ୱର ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କେନ୍ଦ୍ର ସରକାର କୃଷକ ବିରୋଧୀ ନୀତିକୁ ପ୍ରତିବାଦ କରିଛନ୍ତି ବିଭିନ୍ନ ସଂଗଠନ ।

ଏପଟେ ଭୁବନେଶ୍ୱର ହଂସପାଳ ଛକରେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଚନ୍ତି ଶିଖ୍ ସଂପ୍ରଦାୟର ଲୋକ । ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନରେ ହୋଇଥିବା ଏହି ଚକାଜାମ୍ ଆନ୍ଦୋଳନରେ ଚାଷୀ ସଂଗଠନ ଏବଂ ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ ସମର୍ଥନ ଜଣାଇଛନ୍ତି । ତେବେ ଭୁବନେଶ୍ୱର ଚାଷୀ କରୁଥିବା ଆନ୍ଦୋଳନ ସ୍ଥଳରୁ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୁଲିସ୍ ।