ଆସନ୍ତାକାଲି ଭାରତ ବନ୍ଦ । ସକାଳ ୬ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ରହିବ ଭାରତ । ପଢନ୍ତୁ, କଣ ଖୋଲା କଣ ବନ୍ଦ….

3,133

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ତିନି କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ହେଲା ଚାଷୀମାନେ ଧାରଣାରେ ବସିଛନ୍ତି । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାଷୀମାନେ ଅନେକ ଥର ଭାରତ ବନ୍ଦ ମଧ୍ୟ କରିଛନ୍ତି । ଆଉ ଏହାରି ଭିତରେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨୭ ତାରିଖରେ ଚାଷୀମାନେ ପୁଣିଥରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଭାରତ ବନ୍ଦ ପାଳନ ହେବ ।

ସୂଚନା ମୁତାବକ, ଆସନ୍ତାକାଲି ଦିଲ୍ଲୀ ବର୍ଡରରେ ଚାଷୀମାନେ ଧାରଣା ଦେବେ । ଗାଜିପୁର ବର୍ଡର ପାଖରେ ବସିଥିବା ଚାଷୀମାନେ ଆସନ୍ତାକାଲି ରାସ୍ତାରୋକ କରିବା ସହିତ ଟ୍ରାଫିକ୍ ଜାମ କରିବେ । ସେହିଭଳି ସାରା ଦେଶରେ ମଧ୍ୟ ଏହି ଭାରତ ବନ୍ଦ କରାଯିବ ବୋଲି ଚାଷୀ ସଙ୍ଗଠନମାନେ କହିଛନ୍ତି । ଭାରତୀୟ କିଷାନ ୟୁନିୟନର ମିଡିଆ ପ୍ରଭାରୀ ଧର୍ମେନ୍ଦ୍ର ମଲ୍ଲିକ କହିଛନ୍ତି ସାରା ଦେଶରେ ଏହାକୁ ସଫଳ କରିବାକୁ ଚାଷୀଭାଇମାନେ ପ୍ରୟାସ କରିବେ ।

ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତାଙ୍କ କହିବା ମୁତାବକ, ଏହି ଭାରତ ବନ୍ଦ ସମୟରେ ବେସରକାରୀ ଅଫିସ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଆଦି ବନ୍ଦ ରହିବ । ସେହିପରି ସାରା ଦେଶରେ ଚକାଜାମ ହେବ ବୋଲି ଚାଷୀ ସଙ୍ଗଠନମାନଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହି ସମୟରେ ଜରୁରୀ ସେବା ଜାରି ରହିବ । ଆମ୍ବୁଲାନ୍ସ ସେବା ପୂୂର୍ବଭଳି ଜାରି ରହିବ ବୋଲି କୁହାଯାଇଛି ।
ଅନ୍ୟପଟେ କଂଗ୍ରେସ ଏହି ଭାରତ ବନ୍ଦକୁ ସମର୍ଥନ ଦେବାକୁ ଘୋଷଣା କରିଛି । ସେହିପରି ଆପ ନେତା ରାଘବ ଚଡ୍ଡା ମଧ୍ୟ ଟୁଇଟ୍ କରି ତାଙ୍କ ଦଳ ଭାରତ ବନ୍ଦକୁ ସମର୍ଥନ କରୁଥିବା କହିଛନ୍ତି । ଏହି ଦୁଇ ଦଳ ସହିତ ବାମ ଦଳ ଓ ତେଲୁଗୁ ଦେଶମ ପାର୍ଟି ମଧ୍ୟ ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ନିଜର ସମର୍ଥନ ଜଣାଇଛନ୍ତି ।