ଆସନ୍ତା ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ । ଜୋର ଧରିଲା ଚାଷୀ ଆଇନ୍ ପ୍ରତ୍ୟାହାର ଦାବି ।

624

କନକ ବ୍ୟୁରୋ : ଆସନ୍ତା ସେପ୍ଟେମ୍ବର ୨୭ରେ ଭରତ ବନ୍ଦ କରିବା ପାଇଁ ଆଜି ଅପରାହ୍ନରେ ମୁଜାଫରନଗରରେ ଆୟୋଜିତ କିଶାନ ମହାପଞ୍ଚାୟତରେ ନିଷ୍ପତ୍ତି ନିଆଯାଇଛି । ଚାଷ ଆଇନ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନକୁ ଆହୁରି ଆକ୍ରମଣାତ୍ମକ ଓ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଚାଷୀ ନେତାମାନେ କହିଛନ୍ତି ।

କୃଷକ ନେତାମାନେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି ସରକାର ସେମାନଙ୍କ ଦାବିକୁ ଗ୍ରହଣ ନକରନ୍ତି ତେବେ ସେମାନେ ୨୦୨୨ ମସିହାରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଶାସକ ବିଜେପି ବିରୋଧରେ ପ୍ରଚାର କରିବେ । ଏପରିକି ୨୦୨୪ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବାକୁ ଧମକ ଦେଇଛନ୍ତି ।  ଉଲେଖଯୋଗ୍ୟ, ଆଜି ମୁଜାଫରନଗର ଠାରେ କିଶାନ ମହାପଞ୍ଚାୟତର ଆୟୋଜନ କରାଯାଇଥିଲା । ଏଥିରେ କୃଷକ ଏକତାର ଶକ୍ତି ପ୍ରଦର୍ଶନ କରିବା ପାଇଁ ୧୫ଟି ରାଜ୍ୟର ୩୦୦ରୁ ଅଧିକ କୃଷକ ସଂଗଠନର ହଜାର ହଜାର ନେତା ଓ କର୍ମୀ କିଶାନ ମୋର୍ଚ୍ଚା ଅଧୀନରେ ଅଂଶଗ୍ରହଣ କର ସେମାନଙ୍କର ସଂକଳ୍ପକୁ ଦୋହରାଇବା ସହ ବିରୋଧ ଜାରି ରଖିବାକୁ ଶପଥ ନେଇଥିଲେ ।

ଏହି ଅବସରରେ ତିନିଟି ବିବାଦୀୟ ଚାଷ ଆଇନକୁ ବିରୋଧ କରି କୃଷକମାନେ ସର୍ବସମ୍ମତି କ୍ରମେ ସେପ୍ଟେମ୍ବର ୨୭ରେ ସମ୍ପୂର୍ଣ୍ଣ ଭାରତ ବନ୍ଦ ପାଇଁ ଆହ୍ଵାନ ଦେଇଥିଲେ । କୃଷକ ନେତାମାନେ କହିଛନ୍ତି ଯେ ମହାପଞ୍ଚାୟତ ଏହା ମଧ୍ୟ ପ୍ରମାଣ କରିବ ଯେ ଏହି ଆନ୍ଦୋଳନରେ ‘ସମସ୍ତ ଜାତି, ଧର୍ମ, ରାଜ୍ୟ, ଶ୍ରେଣୀ, କ୍ଷୁଦ୍ର ବ୍ୟବସାୟୀ ଏବଂ ସମାଜର ସମସ୍ତ ବର୍ଗର’ ସମର୍ଥନ ରହିଛି। କୃଷକ ନେତାମାନେ ଏହା ସ୍ପଷ୍ଟ କରିଛନ୍ତି ଯେ ଯଦି ସରକାର ସେମାନଙ୍କ ଦାବିକୁ ଗ୍ରହଣ ନକରନ୍ତି ତେବେ ସେମାନେ ୨୦୨୨ ମସିହାରେ ହେବାକୁ ଥିବା ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଶାସକ ବିଜେପି ବିରୋଧରେ ପ୍ରଚାର କରିବେ । ଏପରିକି ୨୦୨୪ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ରାକେଶ ଟିକାୟତ ଗଣମାଧ୍ୟମକୁ କହିଛନ୍ତି ।