ମଣ୍ଡିରେ କାହିଁକି ହଲାପଟା ହେଉଛନ୍ତି ଚାଷୀ? ଧାନ କିଣାରେ ଅବ୍ୟବସ୍ଥାକୁ ରେଙ୍ଗାଲିରେ ବିରୋଧ, ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଅଟକି ରହିଲା ଶହ ଶହ ଗାଡ଼ିମଟର ।

51

କନକ ବ୍ୟୁରୋ : ଧାନ କିଣାବିକାକୁ ନେଇ ସାରା ରାଜ୍ୟରୁ ସବୁବେଳେ ଖବର ଆସୁଛି । କେତେବେଳେ ବିଳମ୍ବିତ ମଣ୍ଡି ଯୋଗୁଁ ଚାଷୀ ରାତି ଜଗୁଆଳି ସାଜୁଛି ପୁଣି କେତେବେଳେ ଧାନ ବୋଝେଇ ଗାଡିକୁ ରାସ୍ତା ଉପରେ ରଖି ରାସ୍ତାରୋକ କରୁଛନ୍ତି । ଆଜି ସମ୍ବଲପୁର-ଝାରସୁଗୁଡା ରାଜରାସ୍ତା ଉପରେ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଟୋକନ ଥାଇ ବି ଧାନ ବିକ୍ରି ନହେବାରୁ ଚାଷୀ ରାସ୍ତାକୁ ଓହ୍ଲାଇଥିଲେ ।

ଧାନ କିଣାବିକାରେ ଅବ୍ୟବସ୍ଥାର ପ୍ରତୀକ ହେଉଛି, ରାଜରାସ୍ତା କଡରେ ଠିଆ ହୋଇଥିବା ଶହଶହ ଗାଡି । ମଣ୍ଡିରେ ଧାନ ବିକ୍ରି ହୋଇନପାରିବାରୁ ଧାନ ଗାଡିକୁ ଆଣି ରାସ୍ତାରେ ମଝିରେ ରଖି ଦେଲେ ରେଙ୍ଗାଳି ଚାଷୀ, ଆଉ ତା’ପରେ ସମ୍ବଲପୁରରୁ-ଝାରସୁଗୁଡାକୁ ଲମ୍ବିଥିବା ରାଜପଥରେ ପ୍ରାୟ ୨ କିଲୋମିଟର ବ୍ୟାପି ଅଟକିଗଲା ଶହଶହ ଗାଡି ।

ଅଭିଯୋଗ ଅନୁସାରେ, ରେଙ୍ଗାଲି ତହସିଲ ଅଂଚଳର ୪ଟି ମଣ୍ଡିରେ ପ୍ରାୟ ୭ ହଜାରରୁ ଅଧିକ ବସ୍ତା ଧାନ ପଡି ରହିଛି । ମଣ୍ଡିରେ ଧାନ ରଖି ଚାଷୀ ବିକ୍ରି ପାଇଁ ଅପେକ୍ଷା କରିଛନ୍ତି, କିନ୍ତୁ ମିଲର ଧାନ କିଣୁନାହାନ୍ତି । କେତେକ ସ୍ଥାନରେ ଚାଷୀଙ୍କୁ ଟୋକନ୍ ମିଳୁନଥିବା ବେଳେ କିଛି ସ୍ଥାନରେ ଟୋକନ ଥାଇ ବି ଟାର୍ଗେଟ ନଥିବା ଧାନ କିଣୁନାହାନ୍ତି ମିଲର ।

ଅବ୍ୟବସ୍ଥା ଅଭିଯୋଗରେ ଚାଷୀ ପ୍ରଥମେ ରେଙ୍ଗାଲି ତହସିଲ ଅଫିସ ଘେରାଉ କରିଥିଲେ, ହେଲେ ସେଠାରେ କିଛି ସମାଧାନ ନହେବାରୁ ରାସ୍ତାରୋକ କରିଥିଲେ । ଫଳରେ ଦୁଇଟି ଶିଳ୍ପବହୁଳ ଜିଲ୍ଲା ସମ୍ବଲପୁର-ଝାରସୁଗୁଡାରେ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।