କନକ ବ୍ୟୁରୋ : ଧାନ ନଉଠିବାରୁ ମଣ୍ଡି କର୍ମଚାରୀ ମାନଙ୍କୁ ତାଲା ମାରିଲେ ଚାଷୀ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଚାଷୀ ମାନଙ୍କ ଧାନ ସବୁ ପଡି ରହିଛି । ମଣ୍ଡିରେ ଧାନ ରଖି ଚାଷୀ ବିକ୍ରି ପାଇଁ ଅପେକ୍ଷା କରିଥିବା ବେଳେ ମଣ୍ଡିରୁ ଧାନ ଉଠୁନାହିଁ । ଅନ୍ୟବର୍ଷ ଭଳି ଏ ବର୍ଷ ବି ସମସ୍ୟା ଦେଖାଦେବାରୁ ମଣ୍ଡି କର୍ତୃପକ୍ଷଙ୍କୁ ତାଲା ପକାଇ ଦେଇଥିଲେ ଅସନ୍ତୁଷ୍ଟ ଚାଷୀ ।

Advertisment

ମଣ୍ଡିରୁ ଉଠିଲା ନାହିଁ ଧାନ । ମଣ୍ଡି କର୍ମଚାରୀଙ୍କୁ ଚାଷୀ ପକାଇଲେ ତାଲା । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଂଚଳରୁ । ଧର୍ମଗଡ ଉପଖଣ୍ଡ୍ ଠାରୁ ୪ କିମି ଦୁର ଖଇରପଦର ମଣ୍ଡିରେ ବର୍ଷକୁ ୨ ଥର ଧାନ କିଣା ହୁଏ । ପ୍ରତିବର୍ଷ ଏହି ମଣ୍ଡିରେ ଚାଷୀଙ୍କ ସମସ୍ୟାକୁ ନେଇ ଖବର ପ୍ରସାରଣ ହେବା ପରେ ପ୍ରଶାସନ ପକ୍ଷରୁ ଧାନ କିଣା ହୁଏ । କିନ୍ତୁ ପ୍ରଶାସନ ଏହାର ସ୍ଥାୟୀ ସମାଧାନ କରୁନାହିଁ । ତେଣୁ ବିଗତ ବର୍ଷ ଭଳି ଏବର୍ଷ ବି ସମାନ ସମସ୍ୟାକୁ ନେଇ ତାତି ଉଠିଥିବା ଚାଷୀ ମଣ୍ଡି କର୍ତୃପକ୍ଷଙ୍କୁ ତାଲା ପକାଇ ଦେଇଛନ୍ତି ଚାଷୀ ।

ଖଇରପଦର ମଣ୍ଡିରେ ଖଇରପଦର, ସରଧାପୁର, ଗମ୍ଭାରିଗୁଡାର ଚାଷୀମାନେ ଧାନ ବିକ୍ରି କରନ୍ତି । ନଭେମ୍ବର ୨୩ରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହି ମଣ୍ଡିରେ ଦଲାଲଙ୍କ ଠାରୁ ଧାନ କିଣା ଯାଉଥିବା ବେଳେ ପ୍ରକୃତ ଚାଷୀଙ୍କୁ ବିଭିନ୍ନ ପ୍ରକାର ଆଳ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି ।

ନିୟନ୍ତ୍ରିତ ବଜାର କମିଟି ତରଫରୁ ମଣ୍ଡିରେ ଚାଷୀଙ୍କୁ ତାରପୋଲିନ, ପାଣି, ଲାଇଟ ଓ ଧାନ ବସ୍ତା ଯୋଗାଇ ଦେବା ପାଇଁ ନିୟମ ରହିଛି । ହେଲେ ଖଇରପଦର ମଣ୍ଡିରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ମଣ୍ଡିରୁ ଧାନ ଚୋରି ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ଚାଷୀ । ସେପଟେ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗକୁ ପ୍ୟାକ୍ସ ଅଧିକାରୀଙ୍କ ମୁଣ୍ଡରେ ଲଦି ନିଜେ ଖସି ଯିବାକୁ ଚେଷ୍ଟା କରିଛନ୍ତି ।