କନକ ବ୍ୟୁରୋ : ଏମଏସପିରେ ଗ୍ୟାରେଣ୍ଟି ଦାବି, ବେକାରୀ ସମସ୍ୟା ଓ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ । ସାରା ଭାରତରେ ପୂର୍ବ ଘୋଷଣା ଅନୁଯାୟୀ ଚାଷୀ ଭାରତ ବନ୍ଦ ପାଳନ କରୁଛନ୍ତି । ଦେଶର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଛି । ଯାହାର ପ୍ରଭାବ ଓଡିଶାରେ ମଧ୍ୟ ପଡିଛି । ବନ୍ଦ ପାଳନ କରି ବିଭିନ୍ନ ଫସଲର ଏମଏସପି ବୃଦ୍ଧିକୁ ଆଇନଗତ ସ୍ୱୀକୃତି ଦେବାକୁ ଦାବି କରିଛନ୍ତି କୃଷକ ସଂଗଠନ । ଏହି ବନ୍ଦ ଡାକରାକୁ ଟ୍ରେଡ ଓ ଟ୍ରକ ସଙ୍ଗଠନ ମଧ୍ୟ ସମର୍ଥନ କରିଛନ୍ତି । ପୂର୍ବରୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମଧ୍ୟ କୃଷକ ସଙ୍ଗଠନର ଏହି ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ।
ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହେବ । ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଛି । ଅପରାହ୍ନ ୧୨ଟାରୁ ୪ଟା ପର୍ଯ୍ୟନ୍ତ ଦେଶର ବିଭିନ୍ନ ପ୍ରମୁଖ ସ୍ଥାନରେ ଚାଷୀ ମାନେ ଚକାଜାମ କରିବାକୁ ଚେତାବନୀ ଦେଇଛନ୍ତି । ସେପଟେ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ସରକାର ଅଣ୍ଟା ଭିଡିଥିଲେ ମଧ୍ୟ ଏହା ବିଫଳ ହୋଇଛି । ରାତି ସାଢେ ଗୋଟାଏ ଯାଏଁ ଚାଷୀ ନେତାଙ୍କ ସହ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ମଧ୍ୟ ଏଥିରୁ କୌଣସି ବାଟ ବାହାରିନି । ବିଭିନ୍ନ ଫସଲର ଏମଏସପି ବୃଦ୍ଧିକୁ ଆଇନଗତ ସ୍ୱୀକୃତି ନମିଳିବା ଯାଏ ଆନ୍ଦୋଳନ ପ୍ରତ୍ୟାହୃତ ହେବାର ପ୍ରଶ୍ନ ଉଠୁନାହିଁ ବୋଲି କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।