ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜୋରଦାର: ସବୁ ସୀମାରେ ଚାଷୀଙ୍କ ଆମରଣ ଅନଶନ; ସଂଧ୍ୟା ୫ଟା ଯାଏଁ ଚାଲିବ ଅନଶନ

ଉପବାସ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ: ସବୁ ଜିଲ୍ଲାରେ ବି କୃଷକଙ୍କ ଧାରଣା

85

କନକ ବ୍ୟୁରୋ: କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ଆଜି ଦିଲ୍ଲୀ-ହରିୟାଣା ସୀମାରେ ଚାଷୀଙ୍କ ବଡ ଧରଣର ଲକଜାମ ଦେଖିବାକୁ ମିଳିବ । କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସବୁ ସୀମାରେ ଚାଷୀମାନେ  ସକାଳ ୮ଟାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଦିଲ୍ଲୀକୁ ଲାଗିଥିବା ବିଭିନ୍ନ ସୀମାରେ ଏହି ଆମରଣ ଅନଶନ ଆରମ୍ଭ ହୋଇଛି । ଏହା ସନ୍ଧ୍ୟା ୫ଟା ଯାଏଁ ଚାଲିବ । ଏହାସହିତ ସବୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା ପ୍ରଦର୍ଶନ କରାଯିବ । କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବି ଆଜି ଦିନକ ପାଇଁ ଉପବାସ ରଖିବେ । ଦିଲ୍ଲୀରେ ଆମ ଆଦମୀ ପାର୍ଟି ଅଫିସରେ ଦଳୀୟ କର୍ମକର୍ତା ଉପବାସ ରଖିବେ । ଦିଲ୍ଲୀ-ହରିୟାଣା ସୀମାର ସିଙ୍ଘୁ ଓ ଟିକରୀ ସୀମାରେ  ଚାଷୀମାନେ ଅନଶନ ଆରମ୍ଭ କରିଛନ୍ତି । ଦିନକୁ ଦିନ ଆନ୍ଦୋଳନ ଅଧିକ ତେଜୁଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି ।

ଆଜି ରାଜସ୍ଥାନରୁ ଆସିଥିବା ୧୦ ହଜାର ଚାଷୀ ଦିଲ୍ଲୀ ଆନ୍ଦୋଳନରେ ସାମିଲ ହେବେ ବୋଲି ଜଣାପଡିଛି । ଏହାରି ଭିତରେ ଗତକାଲି ଅମିତ ଶାହାଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ସୋମ ପ୍ରକାଶ । ଗତକାଲି ଦିଲ୍ଲୀ-ଜୟପୁର ରାଜପଥକୁ ପ୍ରାୟ ତିନି ଘଂଟା ଧରି ଅବରୋଧ କରିଥିଲେ ଚାଷୀ । ରାଜସ୍ଥାନରୁ ଟ୍ରାକ୍ଟର ରାଲି କରି ଆନ୍ଦୋଳନ ସ୍ଥଳ ଅଭିମୁଖେ ଆସିଥିଲେ ହଜାରେ ପାଖାପାଖି ଚାଷୀ ।ଦିଲ୍ଲୀ ସିଂଘୁ ସୀମାରେ ହଜାର ହଜାର ଚାଷୀ ଡେରା ପକାଇ ରହିଥିବା ବେଳେ ପ୍ରତିଦିନ ସେମାନଙ୍କ ସହ ଯୋଡି ହେଉଛନ୍ତି ଅନ୍ୟର ବିଭିନ୍ନ ଅଂଚଳରୁ ଆସୁଥିବା ଚାଷୀ । ଆଜି ଚାଷୀଙ୍କ ଲକଜାମକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ଟ୍ରାଫିକ ମାର୍ଗଦର୍ଶିକା ଜାରି କରିଛି ।

ଦିଲ୍ଲୀ ଚଷୀଙ୍କୁ ଜଣାଇ ସମ୍ବଲପୁରରେ ଚାଷୀଙ୍କ ଅନଶନ । ସମ୍ବଲପୁର ଜିଲ୍ଲାର କୃଷକ ସଂଗଠନ ଦିଲ୍ଲୀରେ ହେଉଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଜିଲ୍ଲା ଅଫିସ ସମ୍ମୁଖରେ ଅନଶନରେ ବସିଛନ୍ତି । ଦିଲ୍ଲୀ ଚାଷୀ ସାରା ଦେଶରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ସାମନରେ ଅନଶନରେ ବସିବାକୁ କହିଛନ୍ତି ।