କନକ ବ୍ୟୁରୋ : କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି । ଦୁଇ ଦିନ ହେବ ବର୍ଷା ଲାଗି ରହିଛି । ବର୍ଷା ସହ ପବନ ଯୋଗୁଁ ଢେଙ୍କାନାଳ ଦେଉଳସାହିରେ ଅଥାନି ବେହେରାଙ୍କ ଚାଳ ଘର ଉପରେ ଏକ ଗଛ ଉପୁଡି ପଡ଼ିଛି । ସେହିପରି ଅନେକ ସ୍ଥାନରେ ଡାଳ ପଡ଼ି ବିଦ୍ୟୁତ୍ ତାର ଛିଡ଼ି ପଡିଥିବା ବେଳେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ୭ଟି ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଆଗକୁ ବି ଲାଗି ରହିବ ।
ଅଦିନିଆ ବର୍ଷା ଯୋଗୁଁ ବାଲେଶ୍ୱର ସୋର ଅଂଚଳରେ ବ୍ୟାପକ ପରିବା ଚାଷ ନଷ୍ଟ ହୋଇଛି । ଅମଳ ଆଗରୁ କାଳବୈଶାଖୀ ବର୍ଷା ଚାଷୀଙ୍କ ପାଇଁ କାଳ ପାଲଟି ଯାଇଛି । କୋବି, କାକୁଡ଼ି, କଲରା, ବାଇଗଣ, ଟମାଟୋ, ଜହ୍ନି, କଖାରୁ, ଜୁଡ଼ଙ୍ଗ ଓ ଭେଣ୍ଡି ଚାଷ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ଖୁଂଟା, ମାଣିପୁର, ମଙ୍ଗଳପୁର, ଦିଦିଭଅଁରା, ବାଗୁଡ଼ି, ଅନନ୍ତପୁର, ବାହାନଗା ଓ ଔପଦା ଅଂଚଳର ଚାଷୀଙ୍କ ପରିଶ୍ରମ ଧୋଇ ଦେବାକୁ ଆସିଛିି । ପୁରୀ ଜିଲ୍ଲାର ସତ୍ୟବାଦୀ, କଣାସ, ନିମାପଡା ଓ କୃଷ୍ଣପ୍ରସାଦ ବ୍ଲକରେ ହେକ୍ଟର ହେକ୍ଟର ଜମିରେ ପନିପରିବା ଓ ବିଭିନ୍ ରବି ଜାତୀୟ ଫସଲ ନଷ୍ଟ ହୋଇଛି । ଚିନାବାଦମ, ବିରି, ମୁଗ, ପୋଟଳ, କୋବି, ଟମାଟୋ, ବାଇଗଣ ଓ ମୂଳା ଆଦି ପନିପରିବା ଚାଷକୁ ବର୍ଷା ଉଜାଡି ଦେଇଛି । ଉଜୁଡା କ୍ଷେତକୁ ଦେଖି ଚାଷୀଙ୍କ ହୋସ ଉଡିଯାଉଛି ।
ବର୍ଷା ପାଇଁ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲା ଡାକ୍ତରଖାନା ରକ୍ତ ଭଣ୍ଡାରରେ ବର୍ଷା ପାଣି ପଶିଯାଇଛି । ଲଗାଣ ବର୍ଷା ଯୋଗୁଁ ରକ୍ତ ଭଣ୍ଡାରରେ ବର୍ଷା ପାଣି ପଶି ଯାଇଥିଲା । ସଫେଇ କର୍ମଚାରୀ ରକ୍ତ ଭଣ୍ଡାରରୁ ପାଣି ବାହାର କରିଛନ୍ତି । ଫଳରେ କିଛି ସମୟ ପାଇଁ ରକ୍ତ ଭଣ୍ଡାରର କାମ ବାଧାପ୍ରାପ୍ତ ହୋଇଥିଲା ।
ଅଦିନିଆ ବର୍ଷା ଯୋଗୁଁ ତାତିରୁ ଅଳ୍ପକେ ତ୍ରାହୀ ମିଳିଥିବା ବେଳେ ବିଭିନ୍ନ ଜିଲ୍ଲାରେ ଜନଜୀବନ ପ୍ରଭାବିତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/12-20.jpg)