କନକ ବ୍ୟୁରୋ : ନୀଳଗିରିରେ ଝଡଖଣ୍ଡ ହାତୀ ଆତଙ୍କ । ଧାନ ଫସଲ ଅମଳ ସମୟକୁ ଚଳିତ ବର୍ଷ ହାତୀ ପ୍ରଥମ ଥର ପାଇଁ ପ୍ରବେଶ କରିଛନ୍ତି । ଗତକାଲି ରାତିରେ ଝାଡଖଣ୍ଡ ହାତୀ ପଲ ବେତନଟି ରେଂଜ ଅତିକ୍ରମ କରି ନୀଳଗିରି ଅଂଚଳରେ ପ୍ରବେଶ କରିବା ପରେ ବହୁ ମାତ୍ରାରେ ଫସଲ ନଷ୍ଟ କରିଛନ୍ତି । ଏହି ହାତୀ ପଲ ପଛରେ ଏକ ବଡ ହାତୀ ପଲ ମୟୂରଭଂଜର ଦେଉଳି ରେଂଜରେ ରହିଥିବାରୁ ହାତୀକୁ ନେଇ ଚିନ୍ତା ବଢିଲାଣି । ସେହିପରି ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଅଂଚଳରୁ ମଧ୍ୟ ଆସିଛି ହାତୀ ଉପଦ୍ରବର ଚିତ୍ର । ଅଦିନିଆ ବର୍ଷାରେ ନଷ୍ଟ ହୋଇଥିଲା ଧାନ ଫସଲ । ଏବେ ଦାଉ ସାଧୁଛନ୍ତି ଜଙ୍ଗଲି ହାତୀ ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଙ୍ଗା ଅଂଚଳରେ ଡେରା ପକାଇ ରହିଛନ୍ତି ୧୫ରୁ ଅଧିକ ହାତୀ । ଏକର ଏକର ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି । ରାତି ହେଲେ ବଢୁଛି ହାତୀଙ୍କ ଉପଦ୍ରବ । ଏନେଇ ବନବିଭାଗକୁ ଚାଷୀମାନେ ସୂଚନା ଦେଇଛନ୍ତି । ତେବେ ହାତୀ ଘଉଡାଇବାରେ ବିଫଳ ରହିଛି ବନବିଭାଗ । କେମିତି ବର୍ଷକ ଚଳିବ ପରିବାର , କେମିତି ସୁଝିବେ ଋଣ ତାକୁ ନେଇ ଚିନ୍ତାରେ ପଡିଛନ୍ତି କନ୍ଦରସିଙ୍ଗାର ଚାଷୀ ।