ଚାଷ କରୁଛି ଚାଷୀ, ଲାଭ ଖାଉଛନ୍ତି ବ୍ୟବସାୟୀ: ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ 

114

କନକ ବ୍ୟୁରୋ: ଜମିରେ ଝାଳ ବୁହାଇ ପନିପରିବା ଉତ୍ପାଦନ କରୁଛି ଚାଷୀ । କିନ୍ତୁ ଲାଭ ପାଉଛନ୍ତି ଦଲାଲ,  ଅଣ ଓଡ଼ିଆ ବ୍ୟବସାୟୀ । ଅଭାବୀ ବିକ୍ରିର ପ୍ରଭାବ ଏବଂ ସଂରକ୍ଷିତ ରଖିବାର ବ୍ୟବସ୍ଥା ନ ଥିବାରୁ ବାଧ୍ୟ ହୋଇ କମ ଦାମରେ ପନିପରିବାର ବିକ୍ରି କରୁଛନ୍ତି ଚାଷୀ । ଦେଖିବା ପରିବା ଚାଷ ଉପରେ ନିର୍ଭରଶୀଳ ସୁନ୍ଦରଗଡ଼ ଜିଲ୍ଲା ନୁଆଗାଁ ବ୍ଲକର ଏହି ରିପୋର୍ଟ ।

ସୁନ୍ଦରଗଡ଼ ଜିଲ୍ଲା ନୁଆଗାଁ ବ୍ଲକର ଅଧିକାଂଶ ଲୋକ ପରିବା ଚାଷ ଉପରେ ନିର୍ଭର । ପନି ପରିବା ବିକିଲେ ସେମାନଙ୍କ ପରିବାର ଚଳେ । ହେଲେ ଏଠାରେ ପରିବା ସଂରକ୍ଷିତ ରଖିବା ପାଇଁ କୌଣସି ଶୀତଳ ଭଣ୍ଡାର ନାହିଁ । ଗୋଟିଏ ପଟେ ଅଭାବୀ ବିକ୍ରି ଅନ୍ୟ ପଟେ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ କମ ଦରରେ ପରିବା ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଦଲାଲମାନେ ଚାଷୀଙ୍କ ଠାରୁ କମ ଦାମରେ ପରିବା କିଣି ଅଣ ଓଡ଼ିଆ ବ୍ୟବସାୟୀକୁ ଅଧିକ ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ଫଳରେ ଚାଷୀ ବର୍ଷ ସାରା କାମ କରି କ୍ଷତି ସହୁଥିବା ବେଳେ ମୁନାଫା ପାଉଛନ୍ତି ଦଲାଲ ଓ ଅଣ ଓଡ଼ିଆ ବ୍ୟବସାୟୀ ।

ପନିପରିବା ଚାଷର ହବ କୁହାଯାଉଥିବା ନୂଆଗାଁ ବ୍ଲକରୁ ଜିଲ୍ଲା ଏବଂ ଜିଲ୍ଲା ବାହାରକୁ ଚାଲାଣ ହୋଇଥିାଏ ପରିବା । କଖାରୁ, ବାଇଗଣ ଠାରୁ ଆରମ୍ଭ କରି କ୍ୟାପ୍ସିକମ୍, ମକ୍କା ପର୍ଯ୍ୟନ୍ତ ସବୁ ପରିବା ଚାଷ ହୋଇଥାଏ ଏଠାରେ । କିନ୍ତୁ ଚାଷୀମାନେ କିପରି ଉପଯୁକ୍ତ ମୂଲ୍ୟ ପାଇବେ ସେନେଇ ସରକାର କୌଣସି ବ୍ୟବସ୍ଥା କରି ନାହାନ୍ତି । ଏପରି ସ୍ଥଳେ ଫୁଡ ପ୍ରୋସେସିଂ ପ୍ଲାଂଟ ନିର୍ମାଣ ହେଲେ ହିଁ ଅଭାବୀ ବିକ୍ରି ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ଅବସରପ୍ରାପ୍ତ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ । ତେବେ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ଏବଂ କୃଷକ ପ୍ରତିନିଧିଙ୍କ ସହ ଆଲୋଚନା କରି ରୋଡମ୍ୟାପ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ  ।