କ୍ୟାପ୍ସିକମ୍ ଚାଷ କରି ସଫଳ ହେଉଛନ୍ତି ଚାଷୀ । ପ୍ରତିଦିନ ଅମଳ ହେଉଛି ୨୦ରୁ ୩୦ କିଲୋ କ୍ୟାପ୍ସିକମ୍ 

131

କନକ ବ୍ୟୁରୋ: ସବୁଜିମା ପରିବେଶରେ ହସୁଛି କ୍ଷେତ । ଧାଡ଼ି ପ୍ରଣାଳୀରେ ଲାଗିଛି କ୍ୟାପ୍ସିକମ୍ ଗଛ । ୨ରୁ ୩ ଫୁଟ୍ ଉଚ୍ଚତାର ଏହି ଗଛ ଗୁଡ଼ିକ ବେଶ ଭଲ ହୋଇଥିବା ବେଳେ ସେଥିରେ କ୍ୟାପ୍ସିକମ୍ ମଧ୍ୟ ଫଳିଛି । ପ୍ରଥମ ଥର ପାଇଁ ଜିଲ୍ଲାରେ କ୍ୟାପ୍ସିକମ୍ ଚାଷ କରି ସଫଳ ହୋଇଛନ୍ତି କିଛି ଚାଷୀ । ଖଜୁରିପଡ଼ା ବ୍ଲକ ଅରାପାଜୁ ଗାଁର ସୁଶାନ୍ତ ଯାନୀ, ରଜନୀକାନ୍ତ ଯାନୀ ଏବଂ ସ୍ୱର୍ଣ୍ଣଲତା ଯାନୀ ସମ୍ପର୍କରେ ୩ ଭାଇ ଭଉଣୀ  ।

ପରୀକ୍ଷାମୂଳକ ଭାବେ ଏହି ଚାଷ ଆରମ୍ଭ କରିଥିଲେ । ନୂଆକରି ଏହି ଚାଷ କରୁଥିବାରୁ ଚାଷ କେମିତି ହେବ ତାକୁ ନେଇ ମଧ୍ୟ ସେମାନେ ଆଶା ଆଶଙ୍କାରେ ଥିଲେ । ଉନ୍ନତମାନର କ୍ୟାପ୍ସିକମ୍ ମଞ୍ଜି ନେଇ  ଅକ୍ଟୋବର -ନଭେମ୍ବର ମାସରେ ଜମିରେ ପକାଇଥିଲେ । ଆବଶ୍ୟକ ଅନୁସାରେ ଜମିରେ ଖତ, ସାର ଏବଂ ଔଷଧ ଦେଇଥିଲେ । ଗଛ ଉଠିବା ପରେ ଗଛ ମୂଳେ ଦିନେ ଛାଡି ଦିନେ ପାଣି ଦେବା ସହିତ  କୋଡ଼ାଖୋସ କରି ଗଛର ଯତ୍ନ ନେଇଥିଲେ  । ଫଳସ୍ୱରପ ୨ରୁ ୩ ମାସ ମଧ୍ୟରେ ଗଛ ଗୁଡିକ ହୃଷ୍ଟପୁଷ୍ଟ ହେବା ସହିତ ଫଳ ଧରିବା ଆରମ୍ଭ ହୋଇଥିଲା  । ଗତ ମାସ ପ୍ରଥମ ସପ୍ତାହରୁ ହିଁ  କ୍ୟାପସିକମ ଗୁଡିକ ଖାଇବା ଯୋଗ୍ୟ ହେଇଯାଇଥିଲା । ପ୍ରତ୍ୟେକ ଦିନ ଜମିରୁ ପ୍ରାୟ ୨୦ରୁ ୩୦ କିଲୋ କ୍ୟାପସିକମ ଅମଳ ହେଉଛି । କ୍ୟାପସିକମ କିଲୋକୁ ପ୍ରାୟ ୧୦୦ ଟଙ୍କା ହିସାବରେ ଦୈନିକ ୨ରୁ ୩ ହଜାର ଟଙ୍କା ରୋଜଗାର କରୁଛନ୍ତି ଚାଷୀ ।

ଜିଲ୍ଲାରେ ପ୍ରଥମ କରି କ୍ୟାପସିକମ ଚାଷ କରିବା ପାଇଁ କନ୍ଧମାଳ  ଜିଲ୍ଲାପାଳ ଆଗ୍ରହ ପ୍ରକାଶ କରିଥିଲେ । ତେଣୁ ସରକାରଙ୍କ ଜୀବିକା ମିଶନ ଯୋଜନାରେ ଫୁଲବାଣୀ ଆଇ.ଟି.ଡି.ଏ ତରଫରୁ ଫୁଲବାଣୀ, ଫିରିଙ୍ଗିଆ,ଖଜୁରୀପଡା  ୩ଟି ବ୍ଲକର ୮୦ ଜଣ ଚାଷୀଙ୍କୁ ଚୟନ  କରାଯାଇଥିଲା । ପ୍ରାୟ ୧୦ ଏକର ଜମିରେ ସମସ୍ତ ଚାଷୀଙ୍କୁ ଆଇ.ଟି.ଡି.ଏ  ତରଫରୁ ଉନ୍ନତ ମାନର କ୍ୟାପସିକମ ମଞ୍ଜି, ସାର, ଔଷଧ  ଏବଂ ତାଲିମ ଦିଆଯାଇଥିଲା । ଯାହା ଫଳରେ ଚାଷି ମାନେ ଏହି ଚାଷ କରି ବର୍ତମାନ ସଫଳ ହୋଇଛନ୍ତି । ମାର୍କେଟରେ ମଧ୍ୟ ବହୁଳ ପରିମାଣରେ କ୍ୟାପସିକମ  ବିକ୍ରି କରିପାରୁଛନ୍ତି ଚାଷୀ  । ଚାଷୀଙ୍କ ସଫଳତାକୁ ଦେଖି  ଆସନ୍ତା ବର୍ଷ ଏହାକୁ ଅଧିକ ପରିମାଣର କରିବା  ପାଇଁ ବିଭାଗ ତରଫରୁ ନିଷ୍ପତି ନିଆଯାଇଛି ।