୬ତାରିଖରେ ଚକାଜାମ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଚାଷୀ । ସେପଟେ ଦିଲ୍ଲୀ ସୀମାରେ ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ।

228

କନକ ବ୍ୟୁରୋ : ଜାନୁଆରୀ ୨୬ରେ ଲାଲକିଲ୍ଲାରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସା ଘଟଣା । ଏବେ ଘଟଣାରେ ସିସିଟିଭି ଫୁଟେଜ ଯାଂଚ କରିବା ପରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ । ଘଟଣାରେ ଚାଷୀଙ୍କୁ ଉସୁକାଇବା ଅଭିଯୋଗରେ ଦୀପ୍ ସିଦ୍ଧୁଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଆରମ୍ଭ କରିଛି କସରତ । ଏବେ ଫେରାରଙ୍କ ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ପୁରସ୍କାର ଦେବା ନେଇ ଦିଲ୍ଲୀ ପୋଲିସ ଘୋଷଣା କରିଛି ।

ଫେରାର ଦୀପ ସିଦ୍ଧୁଙ୍କ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ଦିଲ୍ଲୀ ପୋଲିସ । ସେହିପରି ଯୁଗରାଜ ସିଂ, ଗୁରଜୋତ୍ ସିଂ, ଗୁରଜାଂଟ ସିଂଙ୍କ ନାଁରେ ବି ଲକ୍ଷେ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି । ଏହା ସହିତ ଯଜବୀର ସିଂ, ବୁଟା ସିଂ, ସୁଖଦେବ ଏବଂ ଇକବାଲ ସିଂ ପ୍ରମୁଖଙ୍କ ସମ୍ପର୍କରେ ପୋଲିସକୁ ସୂଚନା ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ଦିଲ୍ଲୀ ପୋଲିସ ଘୋଷଣା କରିଛି ।

ଦିଲ୍ଲୀରେ ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲି ଆଳରେ ଲାଲକିଲ୍ଲାରେ ଲଙ୍କାକାଣ୍ଡ ଘଟିଥିଲା । ଏହା ପରଠାରୁ ଦିଲ୍ଲୀ ପୋଲିସ ସିସିଟିଭି ଭିଡିଓ ସଂଗ୍ରହ କରି ଘଟଣା ପଛରେ ଥିବା ବ୍ୟକ୍ତିଙ୍କୁ ଠାବ କରିବାକୁ ଆରମ୍ଭ କରିଛି ତନାଘନା ।