କ୍ଷେତରେ ଧଳା ସୁନାର ଫସଲ ଫଳାଉଛି ଚାଷୀ । ବଲାଙ୍ଗୀରରେ ଏବେ କପାର ଅଭାବୀ ବିକ୍ରି ଦେଖା ଦେଇଛି । ଫସଲ ଅମଳ ପରେ କପା ବିକ୍ରିକୁ ନେଇ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି

174

କନକ ବ୍ୟୁରୋ : କ୍ଷେତରେ ଧଳା ସୁନାର ଫସଲ ଫଳାଉଛି ଚାଷୀ । ବଲାଙ୍ଗୀରରେ ଏବେ କପାର ଅଭାବୀ ବିକ୍ରି ଦେଖା ଦେଇଛି । ଫସଲ ଅମଳ ପରେ କପା ବିକ୍ରିକୁ ନେଇ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାର ପକ୍ଷରୁ କପା କିଣିବା ପାଇଁ ଜିଲ୍ଲାରେ ୪ଟି ମଣ୍ଡି ଖୋଲାଯାଇଛି । ହେଲେ ଚାଷୀ କୌଣସି ସୂଚନା ପାଇ ପାରି ନାହାନ୍ତି । ଫଳରେ କମ ଦାମରେ ଦଲାଲକୁ ବିକ୍ରି କରି କ୍ଷତି ସହୁଛନ୍ତି ।

ବଲାଙ୍ଗିର ଜିଲ୍ଲା କଂଟାବାଞ୍ଝି ଅଂଚଳରେ ଚାଷୀର କ୍ଷେତରେ ଧଳା ସୁନାର ଫସଲ ଫଳାଇଛି । କପା କ୍ଷେତକୁ ଦେଖିଲେ ଚାଷୀର ମନ ଖୁସିରେ ଭରି ଯାଉଛି । ପରିବାରର ସମସ୍ତେ କପା ଅମଳରେ ଲାଗି ପଡିଛନ୍ତି । ହେଲେ ଅମଳ ପୂର୍ବରୁ ଚାଷୀଙ୍କୁ ଘାରିଛି ଅଭାବି ବିକ୍ରିର ଭୟ । ସରକାରୀ ସୁବିଧା ବାବଦରେ ସୂଚନା ନଥିବାରୁ ଦଲାଲକୁ କ୍ୱିଂଟାଲ ପିଛା ୪୨୦୦ରୁ ୪୫୦୦ ଟଙ୍କା ବିକ୍ରି କରିଦେଉଛନ୍ତି ଚାଷୀ ।

ଜିଲ୍ଲାର ବଙ୍ଗୋମୁଣ୍ଡା, ମୁରିବାହାଲ. ତୁରେକେଲା ବ୍ଲକର ୧୨ ହଜାର ୪୯୩ ହେକ୍ଟର ଜମିରେ ଚଳିତ ବର୍ଷ କପା ଚାଷ ହୋଇଛି । ଚଳିତ ବର୍ଷ ସରକାର କପା କ୍ୱିଂଟାଲ ପିଛା ୫ହଜାର ୮୨୫ ଟଙ୍କାରେ କିଣିବାକୁ ଧାର୍ଯ୍ୟ କରିଛନ୍ତି । କପା କିଣିବା ପାଇଁ ସରକାରୀ ବ୍ୟବସ୍ଥା ହୋଇଥିବା ସୂଚନା ଚାଷୀଙ୍କ ପାଖରେ ନଥିବାରୁ ଦଲାଲକୁ କମ ଦାମରେ ବିକ୍ରି କରିଦେଉଛନ୍ତି ।

କପା କିଣିବା କଂଟାବାଞ୍ଝି ଅଂଚଳରେ ଏକାଧିକ ପ୍ୟାକ୍ସର ବ୍ୟବସ୍ଥା କରାଯାଇଛି । ଏହାର ପ୍ରଚାର ପ୍ରସାର ପ୍ରଶାସନ ପକ୍ଷରୁ କରାଯାଉନଥିବାରୁ ଚାଷୀଙ୍କ ପାଖରେ ଖବର ପହଂଚି ପାରୁ ନାହିଁ । ତେବେ ମଣ୍ଡିରେ କପା ବିକ୍ରି କରିବା ପାଇଁ ସଚେତନତା କରାଯାଉଥିବା କହିଛନ୍ତି ।

ଧଳା ସୁନାର ଅଂଚଳରେ କପାର ଅଭାବୀ ବିକ୍ରି ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି । ମଣ୍ଡି ଖୋଲିଛି ଅଥଚ ଚାଷୀ ଦଲାଲ ପାଖରେ କପା ବିକ୍ରି କରି କ୍ଷତି ସହୁଛନ୍ତି । ଏହି ଯୋଗାଯୋଗର ଅଭାବ ପାଇଁ ଦାୟୀ କିଏ ?