ଆରମ୍ଭ ହେଲା ଟମାଟୋର ଅଭାବୀ ବିକ୍ରି । କୁଚିଣ୍ଡାରେ କିଲୋ ୫ଟଙ୍କା, ସୁନ୍ଦରଗଡ଼ରେ ୧ ଟଙ୍କାରେ ମିଳୁଛି କିଲେ ଟମାଟୋ

ରାସ୍ତାରେ ଟମାଟୋ ଢାଳି ପ୍ରତିବାଦ କଲେ ଆଠଗଡ ଚାଷୀ

160

କନକ ବ୍ୟୁରୋ: ଦିନେ ପରିବା ବଜାରରେ ଉଚ୍ଚା ଦର ଯୋଗୁଁ ଟମାଟୋରେ ହାତ ମାରିବାକୁ ଚିନ୍ତା କରିବାକୁ ପଡୁଥିଲା । ଆଜି ସେହି ଟମାଟୋ ଅଭାବୀ ବିକ୍ରିର ଶିକାର । ଟମାଟୋ କିଲୋକୁ ୨ ଟଙ୍କାରେ ବିକ୍ରି କରିବାକୁ ଚାଷୀ ଚାହୁଁଥିଲେ ବି କିଣିବାକୁ କେହି ନାହିଁ । ତେଣୁ ରାସ୍ତାରେ ଟମାଟୋ ଢାଳି ପ୍ରତିବାଦ କରିଛନ୍ତି ଆଠଗଡର ପରିବା ଚାଷୀ । ବଜାରରେ ମାନ୍ଦାବସ୍ଥା ଯୋଗୁଁ ଟମାଟୋ, ବାଇଗଣ, କୋବି କରିଥିବା ଚାଷୀ କ୍ଷତି ସହୁଛନ୍ତି । ସ୍ଥାନୀୟ ଅଂଚଳରେ ଶୀତଳଭଣ୍ଡାର ନଥିବାରୁ ଉତ୍ପାଦିତ ପରିବାକୁ ସାଇତି ରଖିବା ସୁବିଧା ବି ନାହିଁ ।

ସେପଟେ ସମ୍ବଲପୁର କୁଚିଣ୍ଡା ଓ ସୁନ୍ଦରଗଡ ଜିଲ୍ଲାର ରାଉରକେଲାରୁ ଆସିଛି ଟମାଟୋ ଅଭାବି ବିକ୍ରିର ଖବର । ସମ୍ବଲପୁର କୁଚିଣ୍ଡାରେ କେଉଁଠି ଟମାଟୋ କିଲୋ ୫ଟଙ୍କାରେ ବିକ୍ରି ହେଉଛି ତ କେଉଁଠି ଗ୍ରାହକ ନାହାନ୍ତି । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଓ ନୂଆଗାଁ ଅଂଚଳରେ ଟମାଟୋ କିଲୋ ଏକ ଟଙ୍କାରେ ବିକ୍ରି ହେଉଛି । ଏବର୍ଷ ଟମାଟୋ ଉତ୍ପାଦନ ଭଲ ହୋଇଛି, କିନ୍ତୁ ସାଇତି ରଖିବା ବ୍ୟବସ୍ଥା ନାହିଁ । ତେଣୁ ଜମିରେ ଟମାଟୋ ନଷ୍ଟ ହେବା ଆଗରୁ ବେପାରୀଙ୍କୁ ମାଗଣାରେ ଟମାଟୋ ଦେଇ ଦେଉଛନ୍ତି ଚାଷୀ । ବହୁ ପରିଶ୍ରମ କରି ଟମାଟୋ ଚାଷ କରିଥିବା ଚାଷୀ ଅଭାବି ବିକ୍ରିର ଶିକାର ହୋଇ କ୍ଷତି ସହୁଛନ୍ତି ।