କନକ ବ୍ୟୁରୋ : କରୋନା କାଳରେ ଏହି କାହାଣୀ ଶୁଣିଲେ, ଆପଣଙ୍କ ଆଖି ବି ଓଦା ହୋଇଯିବ । ଏହି କାହାଣୀ ହେଉଛି ତାମିଲନାଡୁର ଜଣେ ଗରିବ ଚାଷୀ ୩୭ ବର୍ଷୀୟ ନାଗରାଜଙ୍କର । କରୋନା ଦିନେ ଯେ କଷ୍ଟର ଏମିତି କାହାଣୀ ଲେଖିବ, ତାହା କେବେ ହେଲେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ନାଗରାଜ । ନାଗରାଜଙ୍କର ନିଜସ୍ୱ କୌଣସି ଜମି ନଥିବା ବେଳେ ପୂର୍ବପୁରୁଷଙ୍କ ଜମିରେ ଟଙ୍କା ଋଣ ଆଣି ଧାନ ଚାଷ କରି ପରିବାର ଚଳାଇଆସୁଥିଲେ । କିନ୍ତୁ ସେଥିରେ କ୍ଷତି ସହିବା ପରେ ଚମ୍ପକ ଫସଲ କରିବା ପାଇଁ ସ୍ଥିର କରିଥିଲେ । ଏହି ଫସଲର ଫୁଲର ବ୍ୟବହାର ମାଳ ପ୍ରସ୍ତୁତ କରିବା ଏବଂ ମନ୍ଦିର ପୂଜା ସ୍ଥଳ ଆଦିରେ ବ୍ୟବହାର କରାଯାଇଥାଏ ।
ତେବେ ଟଙ୍କା କରଜ କରି ଜମିକୁ ପ୍ରଥମେ ସମତଳ କରିଥିଲେ ନାଗରାଜ । ଏହା ପରେ ସେଥିରେ ଫୁଲର ଫସଲ କରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଫୁଲ ଅମଳ ହେବା ବେଳକୁ ରାଜ୍ୟରେ ଲାଗିଲା ଲକଡାଉନ୍ । ମନ୍ଦିର ବନ୍ଦ ହେଲା ଏବଂ ବିଭିନ୍ନ ପୂଜା ଉପରେ ପ୍ରତିବନ୍ଧକ ଲାଗିଲା । ଫଳରେ ବଡଧରଣର କ୍ଷତି ସହିଲେ ନାଗରାଜ ।
ଅଭାବ ଅନଟନ ଭିତରେ ଦିନ କଟୁଥିବା ବେଳେ ହାରିଯାଇନାହାନ୍ତି ନାଗରାଜ । ପୁଣି ଥରେ ଚାଷ କାମ ଆରମ୍ଭ କରିଛନ୍ତି । ପାଖରେ ଟଙ୍କା ନଥିବାରୁ ପୁଅକୁ ସାଙ୍ଗରେ ଧରି କିଛି ଏମିତି ଭାବେ ଜମିକୁ ହଳ କରୁଛନ୍ତି ନାଗରାଜ । ପୁଅକୁ ସ୍କୁଲରୁ ଯେଉଁ ସାଇକେଲ୍ ମିଳିଥିଲା, ସେହି ସାଇକେଲକୁ ହଳ କରିବାର ମେସିନ୍ ଭାବେ ବନାଇଛନ୍ତି । ପୁଅ ପଛପଟୁ ସାଇକେଲକୁ ଧକା ଦେଉଛି, ଆଉ ବାପା ବେକରେ ଦଉଡିକୁ ଛନ୍ଦି ଟାଣି ନେଉଛନ୍ତି । ତେବେ ଏହାରି ଭିତରେ ଏବେ ସରକାରୀ ସହାୟତାକୁ ଅନାଇ ରହିଛନ୍ତି ନାଗରାଜଙ୍କ ଭଳି ଅନେକ ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/206976507_138475381642378_3572265698105035076_n.jpg)