ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲା ସଂଯୁକ୍ତ କିଷାନ ମୋର୍ଚ୍ଚା: ୬ଦଫା ଦାବି ପୂରଣ ପାଇଁ ପ୍ରସ୍ତାବ

243

କନକ ବ୍ୟୁରୋ: ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଥିବାବେଳେ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଛାମୁଆ କୃଷକ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା । ୬ ଦଫା ଦାବି ପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ଚାଷୀ ସଂଗଠନ । ଦାବି ରହିଛି, ଏମଏସପି ପାଇଁ ଆଇନ ଅଣାଯାଉ । ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଯେମିତି ଚାଷୀ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବେ ତାହାକୁ ଗ୍ୟାରେଂଟି ଦିଆଯାଉ ।

ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୧ ଅଧିନିୟମର ପ୍ରତ୍ୟାହାର କରାଯାଉ । ନଡା ନଜଳାଇବା ନେଇ ଚାଷୀଙ୍କ ଉପରୁ ମାମଲା ହଟାଇ ଦିଆଯାଉ । ଆନ୍ଦୋଳନରେ ସାମିଲ ହୋଇଥିବା ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର କରାଯାଉ । ଆନ୍ଦୋଳନବେଳେ ମୃତ୍ୟୁବରଣ କରିଥିବା ୭ଶହ ଚାଷୀ ପରିବାରକୁ କ୍ଷତିପୂରଣ । ସ୍ମୃତି ସ୍ଥଳ ନିର୍ମାଣ ପାଇଁ ଜମି । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର କରାଯାଉ ।

ଆସନ୍ତା ୨୪ରେ କ୍ୟାବିନେଟ ବସିବ ଓ ଏହିଦିନ କେନ୍ଦ୍ର ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଥମ ଓ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ କରିବେ । ସେପଟେ ୨୭ ତାରିଖରେ ଚାଷୀ ସଙ୍ଗଠନମାନେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକରେ ଆନ୍ଦୋଳନର ଭବିଷ୍ୟତ ନେଇ ନିଷ୍ପତି ନିଆଯିବ । ତେବେ ଏହା ପୂର୍ବରୁ ଚାଷୀ ସଂଗଠନର ଏହି ଚିଠି ଚର୍ଚ୍ଚାର ବିଷୟ ହୋଇଛି ।