ଭୂତକୋଠି ପାଲଟିଛି କୃଷକ ତାଲିମ କେନ୍ଦ୍ର । କୋଠା ପାଖକୁ ଯିବାକୁ ନାହିଁ ରାସ୍ତା, ଅନାବନା ଗଛରେ ଜଙ୍ଗଲ ପାଲଟିଗଲାଣି ୫୦ ଲକ୍ଷ ଟଙ୍କାରେ ତିଆରି ହୋଇଥିବା କୋଠା ।

181

କନକ ବ୍ୟୁରୋ : କୃଷି ଓ କୃଷକଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ସେଥିପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତାହା ବାସ୍ତବ ଫଳପ୍ରଦ ହୋଇପାରୁନାହିଁ । ଚାଷୀଙ୍କ କାମରେ ଆସୁନାହିଁ । ପୁରୀ ଜିଲ୍ଲା ବ୍ରହ୍ମଗିରି ଠାରେ ଥିବା ଉଦ୍ୟାନ ବିଭାଗର ଫାର୍ମକୁ ଦେଖିଲେ ସରକାରୀ ଯୋଜନାର ସୁଫଳ ଜଳଜଳ ହୋଇ ଜଣାପଡୁଛି ।

ଭୂତକୋଠି ପାଲଟିଛି କୃଷକ ତାଲିମ କେନ୍ଦ୍ର । ପାଣିରେ ପଡିଗଲା କି ୫୦ ଲକ୍ଷ ଟଙ୍କା ! ପୁରୀ ଜିଲ୍ଲା ବ୍ରହ୍ମଗରି ଓ କୃଷ୍ଣପ୍ରସାଦ ବ୍ଲକ୍ ପାଇଁ ବ୍ରହ୍ମଗିରି ଠାରେ ରହିଛି ସରକାରୀ ଉଦ୍ୟାନ ବିଭାଗ । ଦୁଇଟି ବ୍ଲକ୍ ପାଇଁ ଗୋଟିଏ କାର୍ଯ୍ୟାଳୟ । କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଫାର୍ମ ରହିଛି । ନଡିଆ ଚାରା ତିଆରି କରି ଚାଷୀଙ୍କୁ ବିତରଣ କରାଯାଉଛି । ସବୁଠାରୁ ବଡକଥା ହେଲା କୃଷକଙ୍କ କଲ୍ୟାଣ ପାଇଁ ୩ ବର୍ଷ ତଳୁ ୫୦ ଲକ୍ଷ ଟଙ୍କାରେ ପ୍ରତିଷ୍ଠା ହୋଇଛି କୃଷି ତାଲିମ କେନ୍ଦ୍ର । କିନ୍ତୁ ପରିତାପର ବିଷୟ, ଆଜି ଯାଏଁ ତାହା ଚାଷୀଙ୍କ କାମରେ ଲାଗି ପାରିନାହିଁ । ଭୂତକୋଠି ଭାବେ ପଡିରହିଛି ।

କୃଷକ ତାଲିମ କେନ୍ଦ୍ରରେ ଚାଷୀଙ୍କୁ ଚାଷ ସମ୍ପର୍କୀତ ତାଲିମ ଦିଆଯିବ । ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ସମେତ ଜିଲ୍ଲା ଓ ଜିଲ୍ଲା ବାହାର ଚାଷୀ, ଉଦ୍ୟାନ ବିଷୟରେ ତାଲିମ ନେବେ । ସେହି ଆଶାରେ ତିଆରି ହୋଇଥିବା ତାଲିମ କେନ୍ଦ୍ର ଆଜି ଅନାବନା ଗଛରେ ଯେମିତି ପୋତି ହୋଇପଡିଛି । ଏଠାକୁ ଯିବା ପାଇଁ ରାସ୍ତା ନାହିଁ । ଘର ଗୁଡିକ ସରିସୃପଙ୍କ ବାସସ୍ଥଳି ପାଲଟି ଯାଇଛି । ତେଣୁ ଘର ପାଖକୁ ଯିବା ସମ୍ଭବ ହୋଇ ପାରୁନାହିଁ ।

ଯେଉଁ ସ୍ଥାନକୁ ଚାଲିକି ଯିବା ସମ୍ଭବ ହେଉନାହିଁ, ସେଠାରେ କୃଷକଙ୍କୁ କିଭଳି ତାଲିମ ଦିଆଯିବ ତାହା ସ୍ପଷ୍ଟ ବାରି ହୋଇପଡୁଛି । ଏସବୁ ଭିତରେ ଗୋଟିଏ କଥା ସ୍ପଷ୍ଟ, ଯଦି ଯୋଜନାକୁ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରାନଯାଏ, ତେବେ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଥିବା ଅର୍ଥ ଅଯଥାରେ ନଷ୍ଟ ହୋଇଯାଏ ।