ସାଟେଲାଇଟ ସର୍ଭେ ପାଇଁ ଅଡୁଆରେ ଚାଷୀ । ଖଳାରେ ଗଦା ହୋଇ ପଡିଛି ଧାନ, ଟାର୍ଗେଟ ନଥିବାରୁ ହୋଇପାରୁନି ବିକ୍ରି

222

କନକ ବ୍ୟୁରୋ : ସାଟେଲାଇଟ ସର୍ଭେ ପାଇଁ ଅଡୁଆରେ ଧାନ ଚାଷୀ । ଯାଜପୁର ଜିଲ୍ଲାରେ ଚଳିତ ଖରିଫ ଚାଷରେ ୫୬ହଜାର ୯୫ ଜଣ ଧାନ ଚାଷୀ ୧୬୬ ପ୍ୟାକ୍ସ ଓ ଏସଏଚଜି ଜରିଆରେ ଧାନ ବିକ୍ରି ପାଇଁ ନାମ ପଂଜିକରଣ କରିଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ ୯ଟି ରାଇସ ମିଲ ଜରିଆରେ ଧାନ କ୍ରୟ କରିବାକୁ ଟାର୍ଗେଟ ପ୍ରଦାନ ହୋଇଛି । ଅନ୍ୟ ପଟେ ବିଭିନ୍ନ କାରଣରୁ ଚାଷୀ ମଣ୍ଡିକୁ ଅପେକ୍ଷା ନକରି କ୍ଷେତରୁ ସିଧା ଦଲାଲକୁ କମ ମୂଲ୍ୟରେ ଧାନ ବିକ୍ରି କରୁଥିବା ଚିତ୍ର ସାମ୍ନାକୁ ଆସିଛି । ଖଳାରେ ଧାନ ଗଦା ହୋଇଥିଲେ ବି ଟାର୍ଗେଟ ନଥିବାରୁ କିପରି ଧାନ ବିକ୍ରି ହେବ ସେ ନେଇ ଚିନ୍ତା ବଢିଛି । ତେବେ ଏହି ସବୁ ସମସ୍ୟା ପାଇଁ ସାଟେଲାଇଟ ସର୍ଭେ ହିଁ ଅଡୁଆ ସୃଷ୍ଟି କରିଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଯାଜପୁରରେ ପାଖାପାଖି ୮ ଲକ୍ଷରୁ ଉର୍ଦ୍ଧ ପ୍ଳଟ ପଂଜୀକୃତ ହୋଇଥିବା ବେଳେ ସେଥିରୁ ୧ଲକ୍ଷ ୮୦ ହଜାର ୩୭ ସନ୍ଦିଗ୍ଧ ପ୍ଲଟ ଚିହ୍ନଟ ହୋଇଛି । ଯେଉଁଥିରେ ଚାଷ ହୋଇନଥିବା କୁହାଯାଇଥିଲା । ପ୍ରାୟ ୧ଲକ୍ଷ ୬୦ ହଜାର ପ୍ଲଟ ବିନା ଚାଷ ଅଂଚଳ ବୋଲି ସର୍ଭେରୁ ସ୍ପଷ୍ଟ ହୋଇଥିଲା । ତେବେ ଏହି ସର୍ଭେ ପାଇଁ ଚାଷୀଙ୍କ ଟାର୍ଗେଟ କମିଥିବାର ଅଭିଯୋଗ ହୋଇଛି । ଯେଉଁ ଚାଷୀ ଗତବର୍ଷ ୫୬ କ୍ୱିଂଟାଲ ଧାନ ଦେଇଥଲେ ଚଳିତ ବର୍ଷ ୨୬ କ୍ୱିଂଟାଲର ମେସଜ ଆସିଛି । ଉଚିତ ଟାର୍ଗେଟରୁ ବଂଚିତ ହୋଇଥିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଛି ।

ସାଟେଲାଇଟ ସର୍ଭେ ଯୋଗୁ ଚାଷୀ ମାନେ କ୍ଷତିରେ ପଡିଥିବା ବେଳେ କିଭଳି ଋଣ ସୁଝିବେ ଓ ପରିବାର କିଭଳି ଚଳିବ ସେନେଇ ଚିନ୍ତାରେ ପଡିଛନ୍ତି ।