କନକ ବ୍ୟୁରୋ : ବର୍ଷ ସାରା ପରିଶ୍ରମ କରି ଚାଷୀ ଅମଳ କରିଛି ଫସଲ । ହେଲେ ବହୁ ସ୍ଥାନରେ ମଣ୍ଡି ଖୋଲାଯାଇନି । ନଭେମ୍ବର ଓ ଡିସେମ୍ବରରେ ମଣ୍ଡି ଖୋଲିବାର ନିୟମ ରହିଛି । ଏନେଇ ଗଂଜାମ ଜିଳ୍ଲାରେ ଚାଷୀଙ୍କୁ ସୂଚନା ବି ଦିଆଯାଇଥିଲା । ହେଲେ ଆଜି ଯାଏଁ ଜିଲ୍ଲାର ଅଧିକାଂଶ ସ୍ଥାନରେ ମଣ୍ଡି ଖୋଲା ହୋଇ ନଥିବା ଅଭିଯୋଗ ହୋଇଛି । ଯେଉଁ କେତେକ ସ୍ଥାନରେ ମଣ୍ଡି ଖୋଲାଯାଇଛି ସେଠାରେ ମିଲରଙ୍କ ଦେଖା ନାହିଁ । ତେଣୁ ଧାନ ଗ୍ରହଣ କରିବା ପ୍ରକ୍ରିୟା ମନ୍ଥର ଗତିରେ ଚାଲିଛି । ସେପଟେ ମିଲରଙ୍କ ମଧ୍ୟ ଅଲଗା ନିୟମ ରହିଛି । ଧାନ ଓଦା ଥିଲେ, ଗୋଡି କିମ୍ବା ବାଲି ଥିଲେ. ମେସିନ ଦ୍ୱାରା ଧାନ କଟା ହୋଇଥିଲେ ମଣ୍ଡିରେ ଚାଷୀଠାରୁ ଧାନ ଗ୍ରହଣ କରିବେ ନାହିଁ ମିଲର । ସେପଟେ ଅମଳ ଫସଲକୁ ଉଚିତ୍ ଦର ମିଳୁନଥିବା ବେଳେ ଧାର୍ଯ୍ୟ ଦରଠାରୁ କମ୍ ଦରରେ ଆନ୍ଧ୍ର ମିଲରକୁ ବିକ୍ରି କରି କ୍ଷତିରେ ପଡୁଛି ଚାଷୀ ।
ଗଞ୍ଜାମ ଜିଲ୍ଲାରେ ୪୪୦ଜଣ ମିଲରଙ୍କ ମଧ୍ୟରୁ ୩୬୦ଜଣ ମିଲର ମଣ୍ଡିରୁ ଧାନ ସଂଗ୍ରହ କରିବା ପାଇଁ ପଞ୍ଜିକୃତ ହୋଇଛନ୍ତି । ସେବା ସମିତି ବା ମଣ୍ଡିର ସଂପାଦକ ଧାନର ମାନ ନିର୍ଦ୍ଧାରଣ କରିବା ପରେ ମିଲର ଧାନରୁ ଚାଉଳ ବାହାର କରି ସରକାରଙ୍କୁ ଦେଇଥାନ୍ତି । ତେବେ ଧାନର ମାନ ନିର୍ଦ୍ଧାରଣ ସରକାରୀ ନିୟମ ଅନୁସାରେ ହୋଇଥିବା କହିଛନ୍ତି ମିଲର ସଂଘର ସଂପାଦକ । ଅନ୍ୟପକ୍ଷେ ଅଭିଯୋଗ ମିଳିବା ପରେ ଖୋଲା ହୋଇ ନଥିବା ମଣ୍ଡି ଗୁଡିକ ପର୍ଯ୍ୟାୟ କ୍ରମେ ଖୋଲାଯିବ ବୋଲି ଜଣାଇଛନ୍ତି ଜିଲ୍ଲାପାଳ ।
ଅମଳ ଫସଲକୁ ଉଚିତ୍ ଦରରେ ବିକ୍ରି କରିବାକୁ ଚାହିଁ ବସିଥିବା ଚାଷୀ ଦଲାଲର ଶିକାର ହେଉଛନ୍ତି । ତେଣୁ ଏବେଠାରୁ ଗୁରୁତ୍ୱ ଦିଆଯାଇ ଚାଷୀଙ୍କୁ ଉଚିତ ପ୍ରାପ୍ୟ ଦିଆଗଲେ ଚାଷୀକୁଳ ଉପକୃତ ହୋଇପାରିବେ ।