କନକ ବ୍ୟୁରୋ: ଧାନ ବିକ୍ରି ସମୟ ଗଡିଗଲା କିନ୍ତୁ ଉଠିପାରୁନି ଧାନ । ଟୋକନ ବ୍ୟବସ୍ଥାର ଅନଲାଇନ କାମରେ ଦେଖାଦେଇଛି ଅବ୍ୟବସ୍ଥା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଂଚଳରେ ଥିବା ଶୈଲଙ୍ଗ ସମବାୟ ସମିତିରେ ଚାଷୀ ଧାନ ଦେବାର ଧାର୍ଯ୍ୟ ସମୟର ଦୁଇ ଦିନ ପରେ ମୋବାଇଲରେ ମେସେଜ ଆସିବାରୁ ହଇରାଣ ହେଉଛନ୍ତି ଚାଷୀ । ଏହାସହ ଯେଉଁ ଚାଷୀଙ୍କ ଧାନ ଉଠୁଛି ସେଥିରୁ ୫କେଜି କଟାଯାଉଥିବାରୁ ଅସନ୍ତୋଷ ଦେଖାଦେଇଛି ।

ନିର୍ଦ୍ଧାରିତ ସମୟ ଗଡିଯାଇଥିଲେ ବି ଉଠିପାରୁନି ଧାନ । ଧାନ ମଣ୍ଡିରୁ ଧାନ ଉଠାଇବା ପାଇଁ ହଇରାଣ ହେଉଛି ଚାଷୀ । କେନ୍ଦୁଝର ଜିଲା ଆନନ୍ଦପୁର ଶୈଲଙ୍ଗ ସମବାୟ ସମିତି ଧାନ ମଣ୍ଡିରେ ପ୍ରଥମ ଦଫାରେ ୩୫ ଜଣ ଚାଷୀଙ୍ଗ ଠାରୁ ୧୫୩୫ କୁଇଂଟାଲ ଧାନ ସଂଗ୍ରହ କରାଯିବ ବୋଲି ଟୋକନ ବାହାରିଥିଲା । କିନ୍ତୁ ଅଧିକାଂଶ ଚାଷୀଙ୍କ ମୋବାଇଲକୁ ଧାନ ଦେବା ଧାର୍ଯ୍ୟ ତାରିଖର ୨ ଦିନ ପରେ ମ୍ୟାସେଜ ଆସିଥିଲା । ଫଳରେ ଚାଷୀ ମାନେ ମଣ୍ଡିକୁ ଆସି ଧାନ ଦେବା ପାଇଁ ବହୁ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ।

ଅପରପକ୍ଷରେ ଏଠାରେ ଚାଷୀଙ୍କ ଠାରୁ କୁଇଟାଂଲ ପିଛା ୫କେଜି ଧାନ କାଟୁଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯାହାକୁ ନେଇ ଉପରିସ୍ଥ ଅଧିକାରୀ ଓ ମିଲରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଧାନ କାଟଛାଟକୁ ସରକାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଥିବା ଏଠାରେ ବ୍ୟତିକ୍ରମ ଦେଖାଦେଇଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ସମିତିର ସମ୍ପାଦକ ଏନେଇ କୌଣସି ସନ୍ତୋଷଜନକ ଉତର ଦେଇନାହାନ୍ତି । ସେପଟେ ଧାନ ସଂଗ୍ରହ ପାଇଁ ଆସିଥିବା ମିଲର ସିଧା ସଳଖ ସମ୍ପାଦକଙ୍କୁ ଦୋଷ ଦେଇଛନ୍ତି । ଏନେଇ ଆନନ୍ଦପୁର ଏସିଏସଓଙ୍କୁ ପଚାରିବାରୁ କ୍ୟାମେରା ଆଗରେ କିଛି ନକହି ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଧାନ କିଣାରେ ସ୍ୱଚ୍ଛତା ଆଣିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କୁହାଯାଉଥିବା ବେଳେ ଧାନ ବିକ୍ରି ପାଇଁ ହଇରାଣ ହରକତ ହେଉଛନ୍ତି ଚାଷୀ ।