କୃଷକଙ୍କୁ ରାସ୍ତାରୁ ଉଠାଇ ଦେବାକୁ ହୋଇଥିବା ଅଭିଯୋଗର ଶୁଣାଣି ଆସନ୍ତା କାଲି । କୋର୍ଟ ପକ୍ଷରୁ କେନ୍ଦ୍ର, ହରିଆଣା ଓ ପଞ୍ଜାବ ସରକାରଙ୍କୁ ନୋଟିସ୍

82

କନକ ବ୍ୟୁରୋ : ମୋଦି ସରକାରଙ୍କ ଦ୍ୱାରା ପାରିତ ହୋଇଥିବା କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ଓ ପଞ୍ଜାବ ସୀମାରେ ୨୧ ଦିନ ହେବ କୃଷକ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଦିଲ୍ଲୀ ସୀମାରେ କୃଷକ ମାନଙ୍କର ଆନ୍ଦୋଳନ ଜାରି ରହିବ କି ସେମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ ସେନେଇ ସୁପ୍ରିମକୋର୍ଟରେ ହୋଇଥିବା ଅଭିଯୋଗ ଉପରେ ଆଜି ଶୁଣାଣି ହୋଇଛି । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍ ଏ ବୋବଡେ, ଜଷ୍ଟିସ୍ ଏ.ଏସ୍ ବୋପନ୍ନା ଓ ଜଷ୍ଟିସ୍ ବି.ରାମସୁବ୍ରମଣ୍ୟ କେନ୍ଦ୍ର ସରକାର, ପଞ୍ଜାବ ସରକାର ଓ ହରିଆଣା ସରକାରଙ୍କୁ ନୋଟିସ କରିଛନ୍ତି । ଏହା ସହ ଅଦାଲତ କହିଛନ୍ତି କି ଏହି ମାମଲାରେ ଏକ କମିଟି ଗଠନ କରାଯିବ, ଯେ କି ଏହି ମାମଲାର ତଦନ୍ତ କରିବ । ଏହି ମାମଲାର ଶୁଣାଣି ଆସନ୍ତା କାଲି (ଗୁରୁବାର) କରାଯିବ ।
ଏହି ଶୁଣାଣି ବେଳେ ମୁଖ୍ୟ ବିଚାରପତି ଆବେଦନକାରୀ ପକ୍ଷ ଓକିଲଙ୍କୁ ପଚାରିଥିଲେ କି ‘ଆପଣ ଚାହୁଁଛନ୍ତି କି ସୀମା ଖୋଲିଦିଆଯାଉ’ । ଏହାକୁ ନେଇ ଓକିଲ କହିଥିଲେ କି ଶାହିନବାଗ୍ ଘଟଣା ବେଳେ କୋର୍ଟ କହିଥିଲେ କି ସଡକ ଜାମ କରିବା ଆଇନତ ଅପରାଧ । ଏନେଇ ଓକିଲ ଜଣଙ୍କ ବାରମ୍ବାର ଶାହିନବାଗ ଉଦାହରଣ ଦେଉଥିବା ବେଳେ ମୁଖ୍ୟ ବିଚାରପତି କହିଥିଲେ କି ସେଠାରେ କେତେ ଲୋକ ସଡକ ଜାମ୍ କରିଥିଲେ । କାନୁନ ବ୍ୟବସ୍ଥା ପ୍ରସଙ୍ଗରେ ଉଦହରଣ ଦିଆଯାଏ ନାହିଁ ।
ଏହା ସହ ମୁଖ୍ୟ ବିଚାରପତି ଶୁଣାଣି ବେଳେ କହିଥିଲେ କି ଆବେଦନକାରୀଙ୍କ ପାଖରେ ଏନେଇ କିଛି ଠୋସ୍ ଦଲିଲ୍ ନାହିଁ । କେବଳ ଅଭିଯୋଗ ହୋଇଛି କୃଷକ ମାନେ ରାସ୍ତା ବନ୍ଦ କରିଛନ୍ତି । ଏହା ଉପରେ ସଲିସିଟର ଜେନେରାଲ କହିଥିଲେ କି କୃଷକ ମାନେ ଆନ୍ଦୋଳନ କରୁଛନ୍ତି ଓ ଦିଲ୍ଲୀ ପୋଲିସ ରାସ୍ତା ବନ୍ଦ କରୁଛି । ଅନ୍ୟପଟେ ମୁଖ୍ୟ ବିଚାରପତି କହିଥିଲେ କି କୋର୍ଟ ଆନ୍ଦୋଳନରତ କୃଷକ ମାନଙ୍କର ପକ୍ଷ ବି ଶୁଣିବ । ଏହା ସହ ସେ ସରକାରଙ୍କୁ ପ୍ରଶ୍ନ କରିଥିଲେ କି କାହିଁକି ଆଜିଯାଏ କୃଷକ ଓ ସରକାରଙ୍କ ମଧ୍ୟରେ ବୁଝାମଣା ହୋଇନାହିଁ । ଏହି ମାମଲାରେ ବି କୋର୍ଟ ତରଫରୁ କୃଷକ ସଂଗଠନ ମାନଙ୍କୁ ନୋଟିସ କରାଯାଇଛି । ଅଦାଲତ କହିଛନ୍ତି କି ଏଭଳି ସମ୍ବେଦନଶୀଳ ମାମଲାରେ ଯାଥାଶୀଘ୍ର ସରକାର ସମାଧାନ କରିବା ଆବଶ୍ୟକ ।
ଆଇନ ଛାତ୍ର ଋଷଭ ଶର୍ମା ଏନେଇ କୋର୍ଟରେ ଅଭିଯୋଗ କରିଥିଲେ । ସେ ତାଙ୍କ ଅଭିଯୋଗରେ କହିଥିଲେ କି କୃଷକ ମାନେ ଆନ୍ଦୋଳନ ନାମରେ ସଡକ ବନ୍ଦ କରିବା ଦ୍ୱାରା ସାଧାରଣ ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ପ୍ରଦର୍ଶନସ୍ଥଳୀରେ ସାମାଜିକ ଦୂରତାକୁ ଉଲଙ୍ଘନ କରାଯାଉଥିବାରୁ କରୋନା ବ୍ୟାପିବା ନେଇ ସନ୍ଦେହ ପ୍ରକାଶ କରାଯାଉଛି । ତେଣୁ କୃଷକ ମାନଙ୍କୁ ଦିଲ୍ଲୀ ସୀମାରୁ ହଟାଇ ସରକାରଙ୍କ ତରଫରୁ କୁହାଯାଉଥିବା ସ୍ଥାନରେ ଆନ୍ଦୋଳନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ।