କନକ ବ୍ୟୁରୋ : ଦିନକୁ ଦିନ ଦିଲ୍ଲୀ ସୀମାରେ କୃଷକ ମାନଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି । ଏନେଇ ବାରମ୍ବାର ସରକାରଙ୍କ ସହ ବୈଠକ ଫେଲ୍ ମାରିବା ପରେ କୃଷକ ମାନେ ହିଂସା ଆଚରଣ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଏନେଇ ପୁଣିଥରେ ଆଜି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏକ ସାମ୍ବାଦିକ ସମ୍ମଳନୀ ମାଧ୍ୟମରେ କୃଷକ ମାନଙ୍କୁ ଅପିଲ୍ କରି କହିଛନ୍ତି କି ଖୋଲା ମନରେ ସରକାରଙ୍କ ପ୍ରସ୍ତାବକୁ ବିଚାର କରନ୍ତୁ । ଏହା ପରେ ଏହାକୁ ନେଇ କୃଷି ସଂଗଠନର ନେତା ବୁଟା ସିଂ କହିଛନ୍ତି କି ଆମେ ଆଜି (ଡିସେମ୍ବର-୧୦) ପର୍ଯ୍ୟନ୍ତ ସରକାରଙ୍କୁ ବିକଳ୍ପ ଚିନ୍ତା କରିବାକୁ ସମୟ ଦେଇଛୁ । ଯଦି ପ୍ରଧାନମନ୍ତ୍ରୀ ଆମ କଥା ନଶୁଣନ୍ତି ତାହେଲେ ଆମେ ରେଳ ଲାଇନ ବନ୍ଦ କରିବାକୁ ବାଧ୍ୟ ହେବୁ । ଆଜିର ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କହିଛନ୍ତି କୃଷକ ନେତା ବୁଟା ସିଂ । ସେ କହିଛନ୍ତି କି ସଂଯୁକ୍ତ କୃଷକ ମଂଚ ନେଇ ତାରିଖ ଘୋଷଣା କରିବ କି କେବେ ଠାରୁ ରେଳ ରୋକ୍ କରାଯିବ ।
ଆଜିର ସାମ୍ବାଦିକ ସମ୍ମିଳନୀରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ କି ଯେ ପର୍ଯ୍ୟନ୍ତ କୃଷି ଓ କୃଷକ ଆତ୍ମନିର୍ଭରଶୀଳ ନହୋଇଛନ୍ତି ସେ ପର୍ଯ୍ୟନ୍ତ କୃଷି କ୍ଷେତ୍ରରେ ଉନ୍ନତି ଆସିବ ନାହିଁ । ଏଡି ନୂତନ କୃଷି ଆଇନ ବଳରେ ସରକାର କୃଷକ ମାନଙ୍କୁ ଆତ୍ମନିର୍ଭର କରିବାକୁ ପ୍ରୟାସ କରିଛନ୍ତି । ଏହା ସହ କୋଭିଡ ମହାମାରୀ ସମୟରେ ବି ପ୍ରଧାନମନ୍ତ୍ରୀ ଯେଭଳି ଭାବେ କୃଷକଙ୍କ ପାଇଁ ସହାୟତା ଯୋଗାଇଛନ୍ତି ତାହା ଉଲ୍ଲେଖନୀୟ ବୋଲି ସେ କହିଥିଲେ ।
ଏହା ସହ ଶ୍ରୀ ତୋମାର ଆହୁରି କହିଛନ୍ତି କି ନୂତନ ଆଇନକୁ ନେଇ କୃଷକ ମାନଙ୍କର ଯାହା ଅଭିଯୋଗ ରହିଥିଲା ତାହା ଉପରେ ଖୋଲା ମନରେ ବିଚାର କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଅନ୍ୟପଟେ ଏହା ଉପରେ କୃଷକ ନେତା ମାନେ କହିଛନ୍ତି ଯେ ଏହି କାନୁନ ସମ୍ପୁର୍ଣ୍ଣ ଅବୈଦ୍ଧ କାରଣ ଏହି କାନୁନ୍ ମଧ୍ୟରେ କୌଣସି ସ୍ଥାନରେ ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ କିଛି ପ୍ରାବଧାନ ରଖାଯାଇ ନାହିଁ । ଅନ୍ୟପଟେ ଶ୍ରୀ ତୋମାର କହିଛନ୍ତି କି ଏହି କାନୁନ ବଳରେ ରାଜ୍ୟ ସରକାର ନିଜ ରାଜ୍ୟର ମଣ୍ଡି ବ୍ୟବସ୍ଥାକୁ କିଭଳି ପରିଚାଳନା କରିବେ ସେନେଇ ପ୍ରାବଧାନ ରହିଛି । ହେଲେ ଏତେସବୁ କଥା ବୁଝିବାକୁ ଆନ୍ଦୋଳନରତ କୃଷକ ମାନେ ପ୍ରସ୍ତୁତ ନଥିବା ବେଳେ ସେମାନେ ପୂର୍ବ ଦାବି ଉପରେ ଅଟଳ ରହିଛନ୍ତି ।