ଦିଲ୍ଲୀରେ ଥମୁନି ଚାଷୀ ଆନ୍ଦୋଳନ: ଆଜି ଦିଲ୍ଲୀ-ନୋଏଡା ସୀମା ପୁରା ବନ୍ଦ କରିବେ ଆନ୍ଦୋଳନକାରୀ; ଚିଲା ବର୍ଡରରେ ସୁରକ୍ଷା ପାଇଁ ଅଧିକ ଫୋର୍ସ ମୁତୟନ

42

କନକ ବ୍ୟୁରୋ: ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ଆଜି ଘେରିବେ ଦିଲ୍ଲୀ-ନୋଏଡା ସୀମା । ଦିଲ୍ଲୀ ନୋଏଡା ମଧ୍ୟରେ ଥିବା ଚିଲା ବର୍ଡରକୁ ଆଜି ପୁରା ବନ୍ଦ କରିବେ ଚାଷୀ ସଂଗଠନ । ଏନେଇ ଆଗୁଆ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । କେନ୍ଦ୍ର ସରକାର ନୂଆ ଚାଷୀ ଆଇନରେ ଆଣିଥିବା ୩ ଆଇନକୁ ରଦ୍ଦ କରିବାକୁ ଚାପ ଅଧିକ ବଢାଇବାକୁ ଏପରି ବାଟ ଆପଣାଇଛନ୍ତି ଆନ୍ଦୋଳନକାରୀ । ଏହା ମଧ୍ୟରେ ଚାଷୀ ଆନ୍ଦୋଳନକୁ ନେଇ ବୟାନ ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ନୂଆ ଆଇନକୁ ନେଇ ଚାଷୀଙ୍କୁ ବିରୋଧୀ ଅଧିକ ଭ୍ରମିତ କରୁଛନ୍ତି । ଆଉ ଏହା ପଛରେ ରହିଛି ବଡ ଷଡଯନ୍ତ୍ର ।

ପ୍ରଧାନମନ୍ତ୍ରୀଙ୍କ ଏପରି ବୟାନ ପରେ ପରେ ଅଧିକ ତାତିଛନ୍ତି ଆନ୍ଦୋଳନରତ ଚାଷୀ ସଂଗଠନ । ସ୍ପଷ୍ଟ ଭାବେ ଚାଷୀ ନେତାଏଁ କହିଛନ୍ତି ଯେଉଁଚାଷୀମାନେ ମୋଦିଙ୍କ କଥାରେ ବିଶ୍ୱାସ କରୁଛନ୍ତି ସେମାନେ ଆନ୍ଦୋଳନସ୍ଥଳ ଛାଡି ଯାଇପାରନ୍ତି । କିନ୍ତୁ କେନ୍ଦ୍ର ସରକାର ଆଣିଥିବା ନୂଆ ଆଇନ ପ୍ରତ୍ୟାହାର ନହେବା ଯାଏଁ ଚାଷୀ ଛାଡିବେନି ଆନ୍ଦୋଳନ ସ୍ଥଳ । ଏହା ସହିତ ଚାଷୀ ନେତାଏଁ କହିଛନ୍ତି , ସେମାନେ କେବେ ରାଜପଥ ଅବରୋଧ କରିବାକୁ ଚାହଁନ୍ତି ନାହିଁ । ସେମାନଙ୍କୁ ରାମଲୀଳା ମୈଦାନ ଛାଡି ଦିଆଯାଉ, ସେମାନେ ରାସ୍ତା ଉପରୁ ହଟିଯିବେ । ଆଉ ଯଦି ଆନ୍ଦୋଳନକାରୀଙ୍କୁ ହଟାଇବାକୁ ବଳ ପ୍ରୟୋଗ ହୁଏ, ଏହାର ପରିଣାମ କେନ୍ଦ୍ର ସରକାର ଭୋଗିବେ ।