ବାହାରିଲାନି ନିଷ୍କର୍ଷ, ବିକ୍ଷୋଭ ଜାରି ରଖିଲେ ଚାଷୀ: ଦିଲ୍ଲୀରେ ଆନ୍ଦୋଳନରତ ଅନ୍ନଦାତାଙ୍କ ସହ ସରକାରଙ୍କ ଆଲୋଚନା ଫେଲ; କାଲି ବସିବ ଚତୁର୍ଥ ରାଉଣ୍ଡ ବୈଠକ

ଚାଷୀଙ୍କ ପ୍ରତ୍ୟେକଟି ପ୍ରସ୍ତାବ ଉପରେ ଚର୍ଚ୍ଚା କରିବାକୁ ସରକାର ପ୍ରସ୍ତୁତ

146

କନକ ବ୍ୟୁରୋ: ଦିଲ୍ଲୀରେ ଚାଷୀମାନଙ୍କ ଆନ୍ଦୋଳନ ଜାରି ରହିବ । କାରଣ ମଙ୍ଗଳବାର ସରକାରଙ୍କ ସହ କୃଷି ସଂଗଠନର ପ୍ରତିନିଧି ମାନଙ୍କ ଆଲୋଚନା ବିଫଳ ହୋଇଛି । କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୩ଟାରୁ ରାତି ପ୍ରାୟ ୭ଟା ଯାଏଁ ବସିଥିବା ଏହି ବୈଠକରେ ସରକାର, ନୂଆ କୃଷି ଆଇନ ସଂପର୍କରେ ଚାଷୀନେତା ମାନଙ୍କୁ ବୁଝାଇଥିଲେ । ସରକାରୀ ଅଧିକାରୀମାନେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ, ନୂଆ ଆଇନ ମଣ୍ଡି ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ କରିବ । ସରକାର ଧାର୍ଯ୍ୟ କରୁଥିବା ଏମଏସପିରେ ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦ କିଣାଯିବ ।

ଚାଷୀ ଓ ସରକାରଙ୍କ ମିଝରେ କୌଣସି ଦଲାଲ ରହିବେ ନାହିଁ । ହେଲେ ଚାଷୀ ସଂଗଠନଗୁଡିକ ନୂଆ ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଅଡି ବସିଥିଲେ । ତେଣୁ ଆସନ୍ତାକାଲି ପୁଣି ଚତୁର୍ଥ ରାଉଣ୍ଡ ବୈଠକ ବସିବାକୁ ସ୍ଥିର ହୋଇଛି । ଏହାରି ଭିତରେ ସରକାର ଛୋଟ ଛୋଟ କମିଟି କରି ଆଲୋଚନାକୁ ଆଗକୁ ବଢାଇବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ଚାଷୀନେତା ଏଥିରେ ସମ୍ମତ ହୋଇନଥିଲେ । ତେଣୁ ସମସ୍ତ ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ ଏକକାଳୀନ ଆଲୋଚନା ପାଇଁ ସରକାର ରାଜି ଅଛନ୍ତି । ଆଜି ପଞ୍ଜାବର ଚାଷୀ ସଂଗଠନ ନୂଆ କୃଷି ଆଇନକୁ ନେଇ ରହିଥିବା ସେମାନଙ୍କ ଆପତି ବାବଦରେ କୃଷି ମନ୍ତ୍ରାଳୟକୁ ଜଣାଇବେ । ଆଗାମୀ ବୈଠକରେ ସରକାର ଏହି ଦ୍ୱନ୍ଦ୍ୱ ଦୂର କରିବାକୁ ଚେଷ୍ଟା କରିବେ ବୋଲି ଜଣାପଡିଛି ।

ଗୋଟିଏ ପଟେ ସମାଧାନ ବାହାରି ପାରୁନାହିଁ । ଅନ୍ୟପଟେ ନିର୍ଣ୍ଣାୟକ ଲଢେଇ ପାଇଁ ଅଧିକ ବଳ ଗୋଟାଉଛନ୍ତି ଚାଷୀ ସଂଗଠନ । ମିଳିଥିବା ସୂଚନା ଅନୁସାରେ ଆଜି ପଞ୍ଜାବ ଓ ହରିଆଣାରୁ ଅଧିକ ଚାଷୀ ଦିଲ୍ଲୀ ଅଭିମୁଖେ ବାହାରିବେ । ଗତ ୬ଦିନ ହେଲା ଦିଲ୍ଲୀ ସୀମାକୁ ଜାମ କରି ଦେଇଛନ୍ତି ଚାଷୀ । ସତର୍କତା ଦୃଷ୍ଟିରୁ ସରକାର ସୁରକ୍ଷା ବ୍ୟବସ୍ଥାକୁ ଆହିରି କଡାକଡି କରିଥିବାବେଳେ ଚାଷୀ ସଂଗଠନ ମଧ୍ୟ ଲଢେଇକୁ ଜୋରଦାର କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପଞ୍ଜାବ ଓ ହରିଆଣାରେ ପଂଚାୟତ ଗୁଡିକ ନିଷ୍ପତି କରିଛନ୍ତି, ପ୍ରତି ଚାଷୀ ପରିବାରରୁ ଜଣେ ପ୍ରତିନିଧି ଦିଲ୍ଲୀରେ ପହଂଚିବେ ।

ସେଥିପାଇଁ ଟ୍ରକରେ ରାସନ ଓ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଲଦା ହେଉଛି । ଏଗୁଡିକ ଖୁବଶୀଘ୍ର ଦିଲ୍ଲୀ ଅଭିମୁଖେ ବାହାରିବେ । ପଞ୍ଜାବରୁ ଦିଲ୍ଲୀ ଆସି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀମାନଙ୍କୁ ସେଠାକାର କଳାକାର, ଗାୟକ, ଲେଖକଙ୍କ ପରେ ଖେଳାଳୀମାନଙ୍କ ସମର୍ଥନ ମଧ୍ୟ ବଢିବାରେ ଲାଗିଛି । ହରିଆଣାରେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ସେଠାକାର ସାହୁକାର ଓ କରଜଦାତା । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଏମାନଙ୍କ ପ୍ରଭାବ କମ୍ କରୁଥିବାରୁ ଚାଷୀ ଆନ୍ଦୋଳନରେ ଏମାନେ ମଧ୍ୟ ସାମିଲ ହୋଇଛନ୍ତି ।