୨୩ ଦିନରେ ଚାଷୀ ଆନ୍ଦୋଳନ: ଆଇନ ପ୍ରତ୍ୟାହାର ଦାବିରେ କୃଷକ ଅଟଳ; ସରକାର ବି ଦାବି ମାନିବାକୁ ନାରାଜ

ଆଜି ମଧ୍ୟପ୍ରଦେଶ ଚାଷୀଙ୍କୁ ସମ୍ବୋଧନ କରିବେ ମୋଦି

63

କନକ ବ୍ୟୁରୋ: କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ଆଜି ୨୩ତମ ଦିନରେ ପଂହଚିଛି । ନିଜ ନିଜ ଜିଦରେ ଚାଷ ୀ ଓ ସରକାର ଅଟଳ ରହିଥିବାକୁ ସମାଧାନର ସୁତ୍ର ବାହାରିପାରିନାହିଁ । ମାମଲାର ଶୁଣାଣି କରି ଚାଷୀ ଆନ୍ଦୋଳନ ମାମଲାରୁ ହାତ ଟେକି ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି ବର୍ତମାନ ସ୍ଥିତିରେ ଚାଷୀଙ୍କ ଆନ୍ଦୋଳନରେ ହସ୍ତକ୍ଷେପ କରିବେ ନାହିଁ । ତେବେ ଶୁଣାଣି ବେଳେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଆନ୍ଦୋଳନ କରିବା ଚାଷୀଙ୍କ ଅଧିକାର । ଏହା କେହି ଛିନ୍ନ କରିପାରିବେ ନାହିଁ । ସୁପ୍ରିମକୋର୍ଟ ଶୁଣାଣିରେ ହସ୍ତକ୍ଷେପ କରିବାକୁ ମନା କରିଦେବା ପରେ ଆଗକୁ ଚାଷୀ ଆନ୍ଦୋଳନ କେଉଁ ମୋଡ ନେବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ପ୍ରଥମେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ସହ ପ୍ରଶ୍ନ କରିଥିଲେ, ମାମଲାର ଶୁଣାଣି ନସରିବା ଯାଏଁ ସ୍ଥଗିତ ରହିପାରିବ କି, ନୂଆ କୃଷି ଆଇନ । କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ ସର୍ବୋଚ୍ଚ ଅଦାଲତଙ୍କ ଏହି ପରାମର୍ଶକୁ ଅଗ୍ରାହ୍ୟ କରି ଦେଇଥିଲେ । ଏହା ପରେ ମାମଲାର ବିଚାର କରି ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ସେପଟେ ପ୍ରଧାନମନ୍ତ୍ରୀ ମୋଦି ଆଜି ନୂଆ ଆଇନ ନେଇ ମଧ୍ୟପ୍ରଦେଶର ଚାଷୀଙ୍କ ସହ କଥାବାର୍ତା କରିବେ । ପୂର୍ବରୁ ସେ ଗୁଜରାଟ ଚାଷୀଙ୍କ ସହ କଥା ହୋଇଥିଲେ ।

ସେପଟେ ଚାଷୀ ଅନ୍ଦୋଳନ ଭିତରେ ଦିଲ୍ଲୀରେ ବସିଥିଲା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ଏହି ଅଧିବେଶନରେ କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ସଂକଳ୍ପ ପାତ୍ର ପାରିତ ହୋଇଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଲାବନ୍ଦ ସମୟରେ କାହିଁକି ତରବରିଆ ଭାବେ କୃଷି ଆଇନକୁ ପାରିତ କରାଗଲା ବୋଲି ପ୍ରଶ୍ନ କରି , ଗୃହରେ ବିଲର ନକଲକୁ ଚିରି ଦେଇଛନ୍ତି କେଜ୍ରିୱାଲ । ଏହା ସହିତ କେନ୍ଦ୍ର ସରକାର ଚାଷୀଙ୍କ ଉପରେ ବ୍ରିଟିଶଙ୍କ ଠାରୁ ଅଧିକ ଜୁଲମ୍ ନକରନ୍ତୁ ବୋଲି କହିଛନ୍ତି ।