ଆଉ ପଚିବନି ପୋଟଳ, ବିଲରେ ସଢ଼ିବନି ବାଇଗଣ । ଲକଡାଉନ୍ ସମୟରେ ଲୁହ ଗଡ଼ାଉଥିବା ଚାଷୀଙ୍କ ଦୁଃଖ ଦୂର କରିବାକୁ ରାଜ୍ୟ ସରକାରଙ୍କ ନୂଆ ନିଷ୍ପତି । ଏଣିକି ଅନଲାଇନରେ ବିକ୍ରି କରିପାରିବେ ପନିବରିବା-ଫଳମୂଳ ଚାଷୀ । ପଢ଼ନ୍ତୁ କେମିତି…

1,021

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଜାରି ରହିଥିବା ଲକଡାଉନ୍ ସମୟରେ ଚାଷୀ ଭାଇମାନେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଏନେଇ ରାଜ୍ୟର ବିଭିନ୍ନ କୋଣ ଅନୂକୋଣରୁ ଚିତ୍ର ମଧ୍ୟ ପ୍ରତିଦିନ ସାମ୍ନାକୁ ଆସୁଛି । ଏହି ସମସ୍ୟାକୁ ଦୂର କରିବାକୁ ସାମାଜିକ ଦୂରତା ବଜାୟ ରଖି ସରକାର ଆରମ୍ଭ କରିଛନ୍ତି ଅନଲାଇନରେ ପରିବା ବିକ୍ରି । ପନି ପରିବା ଓ ଫଳଚାଷୀଙ୍କ କଷ୍ଟ ଉପାର୍ଜିତ ପରିଶ୍ରମକୁ ବିକ୍ରିବଟା କରିବା ପାଇଁ ରାଜ୍ୟ କୃଷିମନ୍ତ୍ରୀଙ୍କ ତତ୍ୱାବଧାନରେ odihortmarketing.nic.in ୱେବସାଇଟର ଶୁଭାରମ୍ଭ କରିଛନ୍ତି ।

ଏହାଦ୍ୱାରା ରାଜ୍ୟର ୩୦ଟି ଜିଲ୍ଲାର ଉଦ୍ୟାନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ତାଙ୍କ ଜିଲ୍ଲାର ବଳକା ଉତ୍ପାଦିତ ଦ୍ରବ୍ୟକୁ ୱେବସାଇଟରେ ଦର୍ଶାଇବେ । ଯାହାକି ସମ୍ପୃକ୍ତ ବ୍ୟବସାୟୀମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ । ଏବଂ ସେମାନେ ବିଭାଗୀୟ ଜିଲ୍ଲାସ୍ତରୀୟ କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ କରି ଚାଷୀମାନେ ନିଜ ଉତ୍ପାଦିତ ଦ୍ରବ୍ୟକୁ ଉଚିତ୍ ମୂଲ୍ୟରେ ବିକ୍ରି କରିପାରିବେ ।

ତେବେ ବର୍ତ୍ତମାନ ସୁଦ୍ଧା ଏହି ୱେବସାଇଟରେ ୧୫ଶହରୁ ଅଧିକ ବ୍ୟବସାୟୀଙ୍କର ତାଲିକା ଉପଲବ୍ଧ କରାଯାଇଛି । ବ୍ୟବସାୟୀମାନଙ୍କ ଅବଗତି ନମନ୍ତେ ରାଜ୍ୟରେ ଚାଷୀମାନେ ପାଖରେ ବଳକା ଥିବା ଦ୍ରବ୍ୟର ସ୍ଥିତି ସମ୍ପର୍କରେ ଏସଏମଏସ୍ ମାଧ୍ୟମରେ ବ୍ୟବସାୟୀମାନଙ୍କୁ ଜଣାଇ ପାରିବେ । କୃଷିମନ୍ତ୍ରୀ କହିଛନ୍ତି କି, ଲକଡାଉନ୍ ସମୟରେ ଚାଷୀ ଭାଇମାନେ ଯେଊଉଁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ତାହାକୁ ଦୂର କରିବାରେ ଆମ ବିଭାଗ ସର୍ବଦା ତତ୍ପର ରହିଛି ।