ଦିଲ୍ଲୀ ସୀମାରେ ରାତି କାଟିଲେ ହଜାର ହଜାର କୃଷକ । କଳା ଆଇନ ବାତିଲ ନହେବା ଯାଏଁ ଚାଲିବ ଆନ୍ଦୋଳନ । ଆନ୍ଦୋଳନ ବେଳେ ପ୍ରାଣ ହରାଇଲେ ଜଣେ ଚାଷୀ

664

କନକ ବ୍ୟୁରୋ : କେନ୍ଦ୍ରସରକାରଙ୍କ ଚାଷୀ ବିରୋଧୀ ନୀତିକୁ ବିରୋଧ କରି ରାଜରାସ୍ତାକୁ ଉହ୍ଲାଇଛନ୍ତି ହଜାର ହଜାର କୃଷକ । କେନ୍ଦ୍ରସରକାର ଏହି କଳା ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ଚାଷୀ ମାନେ ଅଡି ବସିଛନ୍ତି । ହେଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର କହିଛନ୍ତି କି ନୂତନ କୃଷି ବିଲ୍ ୨୦୨୨ ସୁଦ୍ଧା କୃଷକଙ୍କ ରୋଜାଗରକୁ ଦ୍ୱିଗୁଣିତ କରିବ । କୃଷକଙ୍କ ସହ ଆଲୋଚନା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ଥିବା କଥା ସେ କହିଛନ୍ତି । ଅନ୍ୟପଟେ ଶ୍ରୀ ତୋମାର ଡିସେମ୍ବର ୩ ତାରିଖରେ ଆଲୋଚନା ପାଇଁ କୃଷକ ସଂଗଠନ ମାନଙ୍କୁ ନିମନ୍ତ୍ରଣ କରିଛନ୍ତି  । କୋଭିଡ-୧୯ ଓ ଶୀତକୁ ଦୃଷ୍ଟିରେ ରଖି ଚାଷୀ ମାନେ ଆନ୍ଦୋଳନରୁ ଓହୁରିଯା’ନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ହେଲେ ନଛୋଡବନ୍ଧା କୃଷକ । ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି କି ଦେଶର ଅର୍ଣ୍ଣଦାତା ଥରେ ମାତିଲେ ପୃଥିବୀର କୌଣସି ସରକାର ନାହିଁ ତାହାକୁ ଦମନ କରିପାରିବ ।
କେନ୍ଦ୍ରର ୩ ଟି ନୂତନ କୃଷି ବିଲକୁ ୨୭ ସେପ୍ଟେମ୍ବରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିବା ପରେ ଏହା ଆଇନରେ ପରିଣତ ହୋଇଛି । ଏହି ୩ ଟି ବିଲ୍ ହେଲା ଫାର୍ମର୍ସ ପ୍ରଡ୍ୟୁସ ଆଣ୍ଡ କମର୍ସ (ପ୍ରୋଟେକସନ ଆଣ୍ଡ ଫ୍ୟାସିଲିଟ୍) ଆକ୍ଟ, ଫାର୍ମର୍ସ (ଏମ୍ପାୱାରମେଣ୍ଟ ଆଣ୍ଡପ୍ରୋଟେକସନ) ଏଗ୍ରିମେଣ୍ଟ ଆଣ୍ଡ ପ୍ରାଇସ ଆସ୍ୟୁରାନ୍ସ ଆଣ୍ଡ ଫାର୍ମ ସର୍ଭିସେସ୍ , ଓ ଏସେନ୍ସିଆଲ କମୋଡିଟିକ୍ (ଆମାଣ୍ଡମେଣ୍ଟ) ଆକ୍ଟ ୨୦୨୦ । ଏହି ୩ ଟି ଆଇନକୁ ମିଶାଇ କେନ୍ଦ୍ର ସରକାର ନୂତନ କୃଷି ବିଲ୍ ପାରିତ କରିଛନ୍ତି । କେନ୍ଦ୍ରସରକାର ଏହି ଆଇନକୁ ୨୦୨୦ ଜୁନ୍ ମାସରେ ଅଧ୍ୟାଦେଶ ବଳରେ ଆଣିଥିଲେ । ପରେ ଏହାକୁ ବିଧେୟକ ଭାବେ ଚିଠା ପ୍ରସ୍ତୁତ କରି ସଂସଦରେ ଆଗତ କରାଯାଇଥିଲା । ଏହାପରେ ରାଷ୍ଟପତି ଅନୁମୋଦନ କ୍ରମେ ଏହା ଆଇନରେ ପରିଣତ ହୋଇଥିଲେ ବି ଦେଶର କୋଣ ଅନୁକୋଣରୁ କୃଷକ ମାନେ ଏହାକୁ ବିରୋଧ କରୁଛନ୍ତି ।
ଏପଟେ ସରକାର ଏହି ଆଇନକୁ ନେଇ ସକାରାତ୍ମକ ଭାବେ ଗ୍ରହଣ କରିବାକୂୁ ଚାଷୀ ମାନଙ୍କୁ ପରାମର୍ଶ ଦେଇ କହୁଛନ୍ତି ଯେ ଏହି ଆଇନ ବଳରେ ୨୦୨୨ ସୁଦ୍ଧା ଚାଷୀ ମାନଙ୍କର ଆୟ ଦ୍ୱିଗୁଣିତ ହୋଇପାରିବ । ଏହା କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ । କୃଷକ ମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀକୁ ଖୋଲା ବାଜାରରେ ବିକ୍ରି କରି ଅଧିକ ଲାଭ ପାଇପାରିବେ । ମଧ୍ୟସ୍ଥି ଉଚ୍ଛେଦ ହେବା ଫଳରେ କୃଷକମାନେ ସେମାନଙ୍କ ସାମଗ୍ରୀ ବିକ୍ରି ବେଳେ ଅଧିକ ମୂଲଚାଲ କରିପାରିବେ ।
ହେଲେ ସରକାରଙ୍କର ଏଭଳି କଥାକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ଦେଶର କୃଷକ ମାନେ । ବିଶେଷ କରି ପଞ୍ଜାବ, ହରିଆଣା, ମଧ୍ୟପ୍ରଦେଶ ଓ ଛତିଶଗଡର ଚାଷୀ ମାନେ ଏହାକୁ ତୀବ୍ର ବିରୋଧ କରୁଛନ୍ତି । ସେମାନେ ଆଶା କରୁଛନ୍ତି ଯେ ଉତ୍ପାଦିତ ସମାଗ୍ରୀର ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେବେ । ସେମାନେ ଘରୋଇ କମ୍ପାନୀ ମାନଙ୍କ ଦୟାରେ ଚଳିବାକୁ ବାଧ୍ୟ ହେବେ ।
ଏନେଇ ବିଶେଷ ଭାବେ ୨ ମାସ ହେବ ପଞ୍ଜାବର କୃଷକ ମାନେ ପ୍ରତିବାଦ କରିବାରେ ଲାଗିଛନ୍ତି । ଏଥିରେ ୧୩ ଜଣ କୃଷକଙ୍କର ମୃତ୍ୟୁ ହୋଇସାରିଲାଣି । ଏହାକୁ ଦୃଷ୍ଟିରେ ରଖି ସାରା ଦେଶର କୃଷକ ମାନେ ଦିଲ୍ଲୀ ଚାଲର ଡାକରା ଦେଇଛନ୍ତି । ୩ ଦିନ ଧରି ଯବାନ ଓ କିଷାନଙ୍କ ମଧ୍ୟରେ ସାପ ନେଉଳର ଲଢେଇ ଭିତରେ ଗତକାଲି କୃଷକ ମାନଙ୍କୁ ଦିଲ୍ଲୀ ଯିବା ପାଇଁ ଅନୁମତି ମିଳିଥିଲା । ହଜାର ହଜାର କୃଷକ ଗତକାଲି ରାତିରେ ଦିଲ୍ଲୀ ସୀମାରେ ପହଂଚିଛନ୍ତି ।
ବିଜେପି ନେତୃତ୍ୱାଧିନ ହରିଆଣା ତଥା କେନ୍ଦ୍ର ସରକାରଙ୍କ ତାନାସାହୀ ଦମନନୀତି ପାଖରେ ମୁଣ୍ଡ ନୁଅାଁଇ ନାହାନ୍ତି ଦେଶର ଅର୍ଣ୍ଣଦାତା । ପୋଲିସ ପାଣି ମାଡ, ଲୁହବୋହା ଗ୍ୟାସ୍ ମାଡ, ରାସ୍ତା ଖୋଳି ଚାଷୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ମାଟିଖୋଳି ଫସଲ ଉତ୍ପାଦନ କରୁଥିବା କୃଷକ ସରକାରଙ୍କ ସବୁ ପ୍ରକାର ଅତ୍ୟାଚାରକୁ ଭେଦ କରି ଶେଷରେ ଦିଲ୍ଲୀରେ ପହଂଚି ଯାଇଛନ୍ତି ।
ଗୋଟିଏ ପଟେ କେନ୍ଦ୍ରର ବିଜେପିର ସରକାରର ଏଭଳି ଚାଷୀ ଦମନନୀତିକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଦିଲ୍ଲୀର ଆପ୍ ସରକାର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚାଷୀ ମାନଙ୍କ ସମର୍ଥନରେ ବାହାରିଛନ୍ତି । ଚାଷୀ ମାନେ ଦିଲ୍ଲୀ ବୁୂରାରୀ ସ୍ଥିତ ନିତରଙ୍କାରୀ ଗ୍ରାଉଣ୍ଡରେ ପହଂଚିବା ପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଇଛି । ଆନ୍ଦୋଳନକାରୀ କୃଷକ ମାନେ ସ୍ପଷ୍ଟ କରିଛନ୍ତି ଯେ, ଯେପର୍ଯ୍ୟନ୍ତ କେନ୍ଦ୍ରସରକାର ଏହି କଳାଆଇନକୁ ପ୍ରତ୍ୟାହାର ନକରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।