ଚାଷୀଙ୍କ ପାଇଁ କାଳ ସାଜିଛି ଅଦିନିଆ ବର୍ଷା : ପଦ୍ମପୁରରେ ଭିଜୁଛି ଚାଷୀଙ୍କ ଲକ୍ଷାଧିକ ବସ୍ତା ଧାନ

୭୪ଟି ମଣ୍ଡିରେ ଖୋଲା ଆକାଶ ତଳେ ପଡ଼ିଛି ଧାନ ବସ୍ତା; ଅବ୍ୟବସ୍ଥା ଅଭିଯୋଗ ଆଣିଲେ ଚାଷୀ

68

କନକ ବ୍ୟୁରୋ : ଚାଷୀଙ୍କ ପାଇଁ କାଳ ସାଜିଛି ଅଦିନିଆ ବର୍ଷା । ବରଗଡ଼ ପଦ୍ମପୁର ଉପକଣ୍ଠରେ ଦୁଇ ଦିନ ହେବ ବର୍ଷା ଯୋଗୁ ଭିଜୁଛି ଚାଷୀଙ୍କ ଲକ୍ଷାଧିକ ବସ୍ତା ଧାନ । ୭୪ଟି ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଖୋଲା ଆକାଶ ତାଳେ ପଡ଼ିଛି ଧାନ ବସ୍ତା । ଧାନରେ ବର୍ଷା ପାଣି ପଶି ନଷ୍ଟ ହେବାକୁ ଲାଗିଲାଣି । ଧାନକୁ ସୁରକ୍ଷିତ ରଖିବା ପାଇଁ ଆରଏମସି ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ କରିଛନ୍ତି ଚାଷୀ । ଚାଷୀ ନିଜ ଖର୍ଚ୍ଚରୁ ପଲିଥିନ୍ ଆଣି ବର୍ଷକର ପରିଶ୍ରମକୁ ଘୋଡାଉଛନ୍ତି । ପାଣି ଭିଜା ଧାନ କିଏ କିଣିବ ତାକୁ ନେଇ ଏବେ ଚିନ୍ତାରେ ଚାଷୀ ।

ଲଗାଣ ବର୍ଷା ଯୋଗୁଁ ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ନୂଆପଡ଼ା ଜିଲ୍ଲାରେ ଅମଳ ହୋଇଥିବା ଧାନ, ‌କ୍ଷେତରେ ଥିବା ପରିବା, ସୂର୍ଯ୍ୟମୁଖୀ, ସୋରିଷ ଆଦି ଫସଲର ସର୍ବାଧିକ କ୍ଷତି ଘଟିଛି। ବିକ୍ରି ପାଇଁ ମଣ୍ଡିଗୁଡ଼ିକରେ ପଡ଼ିଥିବା ଚାଷୀଙ୍କ ଧାନ ମଧ୍ୟ ବହୁ ପରିମାଣରେ ଭିଜିଯାଇଛି । କେବଳ ବରଗଡ଼ ଜିଲ୍ଲାର ୭୩ଟି ସ୍ଥାୟୀ ମଣ୍ଡି ଏବଂ ୧୨୦ଟି କ୍ରୟକେନ୍ଦ୍ରରେ ପାଖାପାଖି ୧୧.୫୦ ଲକ୍ଷ ବସ୍ତା ଧାନ ଭିଜିଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ମଙ୍ଗଳବାର ରାତିରେ ଅମ୍ବାଭୋନା ଅଂଚଳରେ ପ୍ରବଳ ବର୍ଷା ସହ କରାମାଡ଼ ଯୋଗୁଁ ଶହ ଶହ ଏକରରେ ଥିବା ପନିପରିବା, ସୂର୍ଯ୍ୟମୁଖୀ, ସୋରିଷ ଆଦି ଫସଲ ମଧ୍ୟ ନଷ୍ଟ ହୋଇଛି । ଏପରିକି କରାମାଡ଼ ଯୋଗୁଁ ମଣ୍ଡିଗୁଡ଼ିକରେ ଧାନ ବସ୍ତା ବି ଫାଟି ଯାଇଛି । ତଳ ସ୍ତରରେ ଥିବା ଧାନବସ୍ତା ବତୁରି ଯାଇଛି । ଏଗୁଡ଼ିକୁ ଶୁଖାଇବା ବି ସମ୍ଭବ ନୁହେଁ। ବିଳମ୍ବରେ ଧାନ କିଣା ଏବଂ ମନ୍ଥର ପ୍ରକ୍ରିୟା ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହେବା ନିଶ୍ଚିତ ।

ଅଦିନିଆ ବର୍ଷା ଯୋଗୁଁ ସମ୍ବଲପୁର ଜିଲ୍ଲାରେ ବ୍ୟାପକ ଅମଳ ଧାନ ଭିଜି ଯିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଅଣଜଳସେଚିତ କୁଚିଣ୍ଡା ଓ ରେଢ଼ାଖୋଲ ଉପଖଣ୍ଡର ମଣ୍ଡି ଗୁଡ଼ିକରେ ଖୋଲା ଆକାଶ ତଳେ ପଡ଼ି ରହିଥିବା ହଜାର ହଜାର ବସ୍ତା ଧାନ ବର୍ଷା ଯୋଗୁଁ ଭିଜି ଯାଇଛି। ସେହିପରି ଏହି ଦୁଇ ଉପଖଣ୍ଡରେ କିଛି ଚାଷୀଙ୍କ ଧାନ କଟା ଚାଲିଥିବାବେଳେ ଆଉ କାହାର ଧାନ କ୍ଷେତରେ ତ କାହାର ଖଳାରେ ଗଦା ହୋଇଛି। ଆଉ କାହାର ବସ୍ତାରେ ପ୍ୟାକିଂ ହୋଇ ମଣ୍ଡି ଯିବାକୁ ପ୍ରସ୍ତୁତ ଅଛି । ପୁଣି କାହାର ମଣ୍ଡିରେ ବିକ୍ରି ହେବା ଅପେକ୍ଷାରେ ପଡ଼ି ରହିଛି। ଏଭଳି ସମୟରେ ମଙ୍ଗଳବାର ରାତିରୁ ହଠାତ୍ ପ୍ରବଳ ବର୍ଷା ଆରମ୍ଭ ହେବାରୁ ଚାଷୀଙ୍କୁ ମଣ୍ଡିରେ ଗଦା ହୋଇଥିବା ବସ୍ତା ଧାନ ଉପରେ ପଲିଥିନ୍ ଘୋଡ଼ାଇବାକୁ ବି ସୁଯୋଗ ମିଳିନାହିଁ ।

ଅନେକ ଧାନ ବର୍ଷାରେ ସଂପୂର୍ଣ୍ଣ ବତୁରି ଯାଇଛି। ବୁଧବାର ସକାଳୁ ବି ଲଗାଣ ବର୍ଷା ଲାଗି ରହିବାରୁ ଚାଷୀ ମାନେ ନିଜ ଧାନକୁ ସୁରକ୍ଷା ଦେଇପାରି ନଥିଲେ। ବସ୍ତା ପ୍ୟାକିଂ ଧାନକୁ ଚାଷୀ ମାନେ କିଛି ପରିମାଣରେ ଘୋଡ଼ାଇ ଥିଲାବେଳେ ‌କ୍ଷେତ ଓ ଖଳାରେ ପଡ଼ିଥିବା ଖୋଲା ଧାନ ସଂପୂର୍ଣ୍ଣ ଭିଜି ଯାଇଥିଲା । ଜିଲ୍ଲାରେ କେତେ ପରିମାଣର ଧାନ ବର୍ଷାରେ ଭିଜିଛି ତାହାର ଠିକ୍ ଆକଳନ ହୋଇପାରି ନଥିଲେ ବି ଅତି କମ୍‌ରେ ୧୦ ହଜାର କୁଇଣ୍ଟାଲ୍ ଧାନ ସଂପୂର୍ଣ୍ଣ ବତୁରି ଯାଇଥିବା କହାଯାଉଛି । ବୁଧବାର ସକାଳ ୮ଟା ୩୦ରୁ ସଂଧ୍ୟା ୫ଟା ୩୦ ମଧ୍ୟରେ ସମ୍ବଲପୁର‌େ‌ର ରାଜ୍ୟର ସର୍ବାଧିକ ୨୭ ମିଲିମିଟର୍ ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ବର୍ଷା ପରିମାଣ ଆହୁରି ଅଧିକ ହୋଇଥିବା ଜଣାପଡ଼ିଛି ।

ଝାରସୁଗୁଡ଼ା ଜିଲ୍ଲାରେ ହାରାହାରି ୨୪.୭୮ ମିମି ବର୍ଷା ରେକର୍ଡ କରାଯାଇଛି । ଅଦିନିଆ ବର୍ଷାର ପ୍ରଭାବ ଝାରସୁଗୁଡ଼ା ଜିଲ୍ଲା ସାରା ପଡ଼ିଛି। ବହୁ ପରିଶ୍ରମ ଓ ଅର୍ଥ ବ୍ୟୟ କରି ଉତ୍ପାଦନ କରିଥିବା ଧାନ ବିକିବା ସମୟରେ ମଣ୍ଡିରେ ଭିଜିଯାଇଥିବା ଦେଖି ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ପ୍ରଶାସନ ଚାଷୀଙ୍କଠାରୁ ଠିକ୍‌ ସମୟରେ ଧାନ କିଣିଥିଲେ ଏଭଳି କ୍ଷତି ହୋଇ ନଥାନ୍ତା ବୋଲି କହିଛନ୍ତି । ଜିଲ୍ଲାର ଅଧିକାଂଶ ଚାଷୀ ଖଳାରେ ରଖିଥିବା ଧାନକୁ ଗତକାଲି ବହୁ କଷ୍ଟ‌ରେ ପାଲ ଢାଙ୍କି ବର୍ଷାରୁ ରକ୍ଷା କରିବା ପାଇଁ ଉଦ୍ୟମ କରିଥିଲେ। ତଥାପି ‌ଅନେକ ସ୍ଥାନରେ ଥିବା ଧାନ ଭିଜିଥିବା ସୂଚନା ମିଳିଛି । ଏହି ବର୍ଷା ରହିଥିବା ଧାନର ମାନକୁ ମଧ୍ୟ କ୍ଷତି କରିବା ଆଶଙ୍କା ରହିଛି ବୋଲି ଚାଷୀମାନେ କହିଛନ୍ତି ।

ନୂଆପଡ଼ା ଜିଲ୍ଲାର ନୂଆପଡ଼ା ବ୍ଲକ୍‌ରେ ସର୍ବାଧିକ କ୍ଷତି ଘଟିଥିବା ସୂଚନା ମିଳିଛି। ନୂଆପଡ଼ାର ୮ଟି ପେକ୍ସ ଅନ୍ତର୍ଗତ ୨୦ ମଣ୍ଡିରେ ଖୋଲା ଆକାଶ ଧାନ ପଡ଼ିରହିଛି । ମନ୍ଥର ମଣ୍ଡି ଯୋଗୁଁ ବହୁ ପରିମାଣର ଧାନ ପଡ଼ିରହିଛି । ପ୍ରଶାସନ ପକ୍ଷରୁ ପଲିଥିନ ବ୍ୟବସ୍ଥା ହୋଇ ନଥିବାରୁ କେତେକ ସ୍ଥାନରେ ଚାଷୀମାନେ ନିଜ ବ୍ୟବସ୍ଥାରେ ପଡ଼ିଥିବା ଧାନ ଢାଙ୍କିଥିଲେ । ୨୦ଟି ମଣ୍ଡି ମଧ୍ୟରୁ ୬ଟିରେ ୧୦ହଜାରରୁ ଅଧିକ ବସ୍ତା ଧାନ ଭିଜିଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଅବଶ୍ୟ ଜିଲ୍ଲାର ଆଉ କିଛି ଅଞ୍ଚଳରେ ଆଦୌ ବର୍ଷା ହୋଇ ନଥିବା ଖବର ମିଳିଛି ।