କନକ ବ୍ୟୁରୋ : ମଣ୍ଡିରେ ଧାନ କିଣାକୁ ନେଇ ଚାଷୀଙ୍କ ରାସ୍ତାରୋକ । ଚାଷୀଙ୍କ ରାସ୍ତା ରୋକ ପରେ ଧାନ କିଣିବା ନେଇ ମିଳିଲା ପ୍ରତିଶ୍ରୁତି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଳକର ପୂଜାରିଗୁଡା ମଣ୍ଡିର ଚାଷୀଙ୍କ ଧାନ ଉଠି ପାରୁନାହିଁ । ତେନ୍ତୁଳିଖୁଂଟି ସମବାୟ ସମିତି ତରଫରୁ ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ୍ ମିଳିଥିଲା । ଟୋକନ୍ ତାରିଖ ଅନୁସାରେ ଚାଷୀମାନେ ମଣ୍ଡିକୁ ଧାନ ନେଇଛନ୍ତି । ପୂଜାରିଗୁଡା ମଣ୍ଡିରେ ତିନି ହଜାର କ୍ୱିଂଟାଲ ଧାନ କିଣିବା ପାଇଁ ୯ଟି ମିଲରଙ୍କୁ ଟାର୍ଗେଟ ଦିଆଯାଇଛି । ହେଲେ କୌଣସି ମିଲର ମଣ୍ଡିକୁ ଆସି ନଥିଲେ । ଅପରାହ୍ନ ଯାଏଁ କୌଣସି ମିଲର ନଆସିବାରୁ ଚାଷୀମାନେ ବାଧ୍ୟ ହୋଇ ଇନ୍ଦ୍ରାବତୀ ଠାରୁ ନବରଙ୍ଗପୁର ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ଅବରୋଧ କରିଥିଲେ । ଖବରପାଇ ତେନ୍ତୁଳିଖୁଂଟି ତହସିଲଦାର ଅଶୋକ କୁମାର ମୁଦୁଲି, ଯୋଗାଣ ଅଧିକାରୀ ରୋହିତ କୁମାର ମାଝୀ ଘଟଣାସ୍ଥଳରେ ପହଂଚି ଚାଷୀଙ୍କୁ ବୁଝାସୁଧା କରି ଧାନ ବିକ୍ରି ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ରାସ୍ତାରୋକରୁ ଚାଷୀମାନେ ହଟିଥିଲେ ।

Advertisment