କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଜି ଅଷ୍ଟମ ପର୍ଯ୍ୟାୟ ବୈଠକ : କୃଷକ ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସ୍ତାବ ଉପରେ ହେବ ଆଲୋଚନା

ବୈଠକ ପୂର୍ବରୁ ଚାଷୀ ସଂଗଠନର କଡା ଆଭିମୁଖ୍ୟ, ଦାବି ନମାନିଲେ ହଟିବୁ ନାହିଁ 

62

କନକ ବ୍ୟୁରୋ : ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ରତ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଜି ଅଷ୍ଟମ ପର୍ଯ୍ୟାୟ ଆଲୋଚନା ହେବ । ଗତ ୩୦ ତାରିଖରେ ଦୁଇଟି ପ୍ରସ୍ତାବ ଉପରେ ସହମତି ମିଳିଥିବାରୁ ଆଜିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ଆଜି କୃଷି ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସଙ୍ଗରେ ଆଲୋଚନା ହେବ । ବୈଠକ ପୂର୍ବରୁ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଚାଷୀମାନେ କହିଛନ୍ତି, ନୂଆ କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ସେମାନ ରାସ୍ତାରୁ ହଟିବେ ନାହିଁ ।

ପ୍ରବଳ ଥଣ୍ଡା ଓ ଗତକାଲି ବର୍ଷା ହୋଇଥିବା ବେଳେ ସିଙ୍ଘୁ ସୀମା ଓ ଗାଜିପୁର ସୀମାରେ ହଜାର ହଜାର ଚାଷୀ ପ୍ରତିକୁଳ ପରିସ୍ଥିତିରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ଶନିବାର ରାତିରୁ ବର୍ଷା ହେବାରୁ ଆନ୍ଦୋଳନରତ ଚାଷୀଙ୍କ ସ୍ଥିତି ଆହୁରି ଜଟିଳ ହୋଇଯାଇଛି । ସେପଟେ ଅଲୱର ଶାହଜାହନପୁରରେ ଚାଷୀମାନେ ବଳପୂର୍ବକ ପୁଲିସ ବ୍ୟାରିକେଡ ଭାଙ୍ଗି ଦିଲ୍ଲୀ ସୀମାକୁ ଆସିବା ବେଳେ ପୁଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଚାଷୀନେତାମାନେ କହିଛନ୍ତି, ନୂଆ କୃଷି ଆଇନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବ । ତେଣୁ କର ବା ମର ଲଢେଇ ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି ଚାଷୀ ନେତା ।