କୃଷକ ଆନ୍ଦୋଳନ : ଭାରତରେ ବର୍ତ୍ତମାନ ଚାଲିଥିବା କୃଷକ ଆନ୍ଦୋଳନ ଖବର ସବୁ ପ୍ରମୁଖ ମେଡ଼ିଆରେ ସ୍ଥାନ ପାଉଛି । କୃଷକମାନେ ଟ୍ରାକ୍ଟର ଧରି ଦିଲ୍ଲୀ ରାସ୍ତାକୁ ଅବରୋଧ କରିଛନ୍ତି । ସେମାନଙ୍କୁ ଦିଲ୍ଲୀରେ ପ୍ରବେଶ କରିବାକୁ ସରକାର ଅନୁମତି ଦେଉନାହିଁ । ଗତ ଦୁଇ ବର୍ଷ ତଳେ କୃଷକ ଆନ୍ଦୋଳନ ଅତ୍ୟନ୍ତ ଉଗ୍ରରୂପ ଧାରଣ କରିଥିଲା । ଟ୍ରାକ୍ଟର ନେଇ ସେମାନେ ଦୀର୍ଘ ଦୁଇମାସ ଧରି ରାଜରାସ୍ତା ଅବରୋଧ କରି ଏକପ୍ରକାର ଅଚଳାବସ୍ତା ସୃଷ୍ଟି କରିଥିଲେ । ଶେଷରେ ଜବରଦସ୍ତ ଦିଲ୍ଲୀରେ ପ୍ରବେଶ କରି ହଙ୍ଗମା ସୃଷ୍ଟି ମଧ୍ୟ କରିଥିଲେ । ଏପରିକି ଲାଲକିଲ୍ଲାରୁ ଭାରତୀୟ ଜାତୀୟ ପତାକାକୁ ଖୋଲି ଫୋପାଡି ଦେଇଥିଲେ । ଏବେ ମଧ୍ୟ ସେମାନେ ଟ୍ରାକ୍ଟର ଧରି ଦିଲ୍ଲୀକୁ ପ୍ରବେଶ କରୁଥିବା କିଛି ମାର୍ଗକୁ ଅବରୋଧ କରିସାରିଲେଣି । ସରକାରଙ୍କ ସହ ସେମାନଙ୍କର ଆଲୋଚନା ଚାଲିଛି ।
ଠିକ ସେହିପରି କୃଷକମାନେ ଟ୍ରାକ୍ଟର ଧରି ଇଟାଲୀର ରାଜଧାନୀ ରୋମରେ ଗୁରୁବାର ଦିନ ପ୍ରବେଶ କରିଛନ୍ତି ।
କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ କୃଷକ ଆନ୍ଦୋଳନର ନିଜସ୍ୱ ଇତିହାସ ରହିଛି । ଆଜିକାଲି ଭାରତୀୟ କୃଷକଙ୍କ ଆନ୍ଦୋଳନ ହେଡଲାଇନରେ ଅଛି । ସେହିପରି ୟୁରୋପର ଅନେକ ଦେଶରେ ମଧ୍ୟ ସରକାରଙ୍କ ନୀତି ବିରୋଧରେ କୃଷକମାନେ ରାସ୍ତାରେ ବିରୋଧ କରୁଛନ୍ତି । ୟୁରୋପର ପ୍ରାୟ ୧୦ ଟି ଦେଶରେ ଜାନୁଆରୀରୁ କୃଷକଙ୍କ ବିରୋଧ ଚାଲିଛି। ଏହି ଦେଶଗୁଡିକ ମଧ୍ୟରେ ଫ୍ରାନ୍ସ, ପୋଲାଣ୍ଡ, ସ୍ପେନ୍, ଜର୍ମାନୀ, ଇଟାଲୀ, ଗ୍ରୀସ୍, ରୋମାନିଆ, ବେଲଜିୟମ, ପର୍ତ୍ତୁଗାଲ, ଲିଥୁଆନିଆ ଅନ୍ତର୍ଭୁକ୍ତ ।
ଗୁରୁବାର ଦିନ ବିରୋଧ ପ୍ରଦର୍ଶନ କରୁଥିବା କୃଷକମାନେ ଇଟାଲୀର ରୋମରେ ଥିବା ପ୍ରାଚୀନ ସର୍କସ୍ ମ୍ୟାକ୍ସିମସ୍ ଉପରେ ଆକ୍ରମଣ କରିଥିଲେ । ସର୍କସ୍ ମ୍ୟାକ୍ସିମସ୍ ଚାରିପାଖରେ ଚାଷୀମାନେ ଟ୍ରାକ୍ଟର ଚଳାଇବା ଆରମ୍ଭ କରିଥିଲେ । ଏହି ପ୍ରଦର୍ଶନ ସମୟରେ ପୋଲିସ ଏବଂ ଚାଷୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଜିଓର୍ଜିଓ ମେଲୋନିଙ୍କ କାର୍ଯ୍ୟାଳୟ ନିକଟରେ ମଧ୍ୟ କୃଷକମାନେ ଏକାଠି ହୋଇଥିଲେ । ଏହା ବ୍ୟତୀତ କୃଷକମାନେ ସେମାନଙ୍କର ଦାବି ସହିତ ୟୁରୋପୀୟ ୟୁନିଅନ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚିଥିଲେ । ଯେଉଁଠାରେ ସେମାନେ ଅଭିଯୋଗ ପତ୍ର ଅଧିକାରୀମାନଙ୍କୁ ପ୍ରଦାନ କରିଥିଲେ ।
ଇଟାଲୀର ରାଜଧାନୀର ଏହି ଦୃଶ୍ୟ ଜାନୁଆରୀ ୨୦୨୧ ରେ ଦିଲ୍ଲୀ ରାସ୍ତାରେ ଦେଖାଯାଇଥିବା ଦୃଶ୍ୟ ପରି ଥିଲା । ଦିଲ୍ଲୀରେ ଆନ୍ଦୋଳନକାରୀ କୃଷକମାନେ ଆଇଟିଓ ରାସ୍ତା ଦେଇ ଟ୍ରାକ୍ଟର ଧରି ଦିଲ୍ଲୀରେ ପ୍ରବେଶ କରିଥିଲେ । କୃଷକମାନେ ସେଠାରେ ଟ୍ରାକ୍ଟର ଚଳାଇ ଆତଙ୍କ ସୃଷ୍ଟି କରିଥିଲେ । ତା’ପରେ କୃଷକମାନେ ଲାଲ୍ କିଲ୍ଲା ଆଡକୁ ଯାଇଥିଲେ ଏବଂ ସେଠାରେ ଭାରତୀୟ ଜାତୀୟ ପତାକାକୁ ବାହାର କରି ଫୋପାଡି ଦେଇଥିଲେ । ଏଇପରି କିଛି ଦୃଶ୍ୟ ଆଜିକାଲି ରୋମ୍ ରେ ଦେଖିବାକୁ ମିଳୁଛି ।
ୟୁରୋପର କୃଷକମାନେ କାହିଁକି ବିରୋଧ କରୁଛନ୍ତି ?
ୟୁରୋପରେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବା ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ୟୁରୋପୀୟ ୟୁନିଅନ୍ ଆଇନରେ ଅନେକ ପରିବର୍ତ୍ତନ କରିଛି । ଏହା ବ୍ୟତୀତ ୟୁକ୍ରେନ ଯୁଦ୍ଧ ଆରମ୍ଭରୁ ୟୁରୋପରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି । ଆୟର ହ୍ରାସ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ନେଇ କୃଷକମାନେ ଚିନ୍ତିତ ଅଛନ୍ତି । ସେମାନଙ୍କର ଅଭିଯୋଗ ଇନ୍ଧନ ମୂଲ୍ୟ ଠାରୁ ଆରମ୍ଭ କରି ୟୁରୋପୀୟ ୟୁନିଅନର ପରିବେଶ ନିୟମ ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା ପାଇଁ ସବୁ ପରିକଳ୍ପିତ । କୃଷକମାନେ ବିଶ୍ୱାସ କରନ୍ତି ଯେ ସରକାରଙ୍କ ଏହି ସମସ୍ତ ନୀତି ସେମାନଙ୍କ ଜୀବିକାକୁ କ୍ଷତି ପହଞ୍ଚାଉଛି ।କୃଷକଙ୍କ ପକ୍ଷକୃଷକଙ୍କ ଅନ୍ୟତମ ପ୍ରତିନିଧୀ ପିନୋ କନଭର୍ଟିନି କହିଛନ୍ତି, “ଚାଷୀମାନଙ୍କର ମୂଲ୍ୟ ଉପରେ ବୁଝାମଣା କରିବାର କ୍ଷମତା ନାହିଁ । ତାଙ୍କ ଉପରେ ରାଜନୈତିକ ନିଷ୍ପତିକୁ ଜବରଦସ୍ତ ଲଦି ଦିଆଯାଉଛି । ସେସବୁ ନେଇ ଆମ ପାଖରେ ବୁଝାମଣା କରିବାର କ୍ଷମତା ନାହିଁ । ତେବେ ଆମେ କଣ କରିବୁ ? " କୃଷକମାନେ କହିଛନ୍ତି ଯେ ସେମାନଙ୍କୁ ଜଳବାୟୁ ପରିବର୍ତ୍ତନ ନିୟମରୁ ଦୂରେଇ ରଖିବା ଉଚିତ ଏବଂ କୃଷିରେ କୀଟନାଶକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ନୁହେଁ ।
ଚଳିତ ବର୍ଷ ୟୁରୋପର ଅନେକ ଦେଶରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ବିରୋଧ ଯୋଗୁଁ ସରକାରଙ୍କ ଉପରେ ଅନେକ ଚାପ ରହିଛି । ଗତ ସପ୍ତାହରେ ୟୁରୋପୀୟ କମିଶନ ମଧ୍ୟ ଚାଷୀଙ୍କୁ କିଛି ରିହାତି ପ୍ରଦାନ କରିଛନ୍ତି । ଇଟାଲୀର ପ୍ରଧାନମନ୍ତ୍ରୀ ମେଲାନି ଶୁକ୍ରବାର ଦିନ ଚାଷୀଙ୍କ ସହ ଏକ ରାଉଣ୍ଡ ଟେବୁଲ ବୈଠକ କରି ସେଠାରେ କୃଷକମାନଙ୍କୁ ଟିକସ ଛାଡ କରିବାକୁ ପ୍ରତିଶୃତି ଦେଇଛନ୍ତି ।