୧୮ ଦିନରେ ଚାଷୀ ଆନ୍ଦୋଳନ: ଆଜି ରାଜସ୍ଥାନରୁ ବାହାରିବ ଟ୍ରାକ୍ଟର ରାଲି; ୧୪ରେ ଦେଶବ୍ୟାପୀ ପ୍ରତିବାଦ, ଆମରଣ ଅନଶନ କରିବାକୁ କୃଷକ ନେତାଙ୍କ ଚେତାବନୀ

ସେପଟେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା ପରେ ଖୋଲିଲା ଦିଲ୍ଲୀ-ନୋଇଡା ରାସ୍ତା

98

କନକ ବ୍ୟୁରୋ: ୧୮ ଦିନରେ ପହଁଚିଲା ଚାଷୀ ଆନ୍ଦୋଳନ । ଗୋଟିଏ ପଟେ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଅଡି ବସିଛନ୍ତି ଏକାଧିକ କୃଷକ ସଂଗଠନ । ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କୁ ସମର୍ଥନ କରି ୟୁପି, ରାଜସ୍ଥାନ, ପଞ୍ଜାବ ଓ ହରିୟାଣାର ଆହୁରି ଚାଷୀ ଆସୁଛନ୍ତି । ଫଳରେ ଆନ୍ଦୋଳନ କମିବା ବଦଳରେ ବଢ଼ିବାରେ ଲାଗିଛି । ସରକାର ଆଇନକୁ ପ୍ରତ୍ୟାହାର କରିବାକୁ ମନା କରିବା ପରେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ । ଶନିବାର ଏକାଧିକ ଟୋଲ ପ୍ଲାଜାକୁ ଆନ୍ଦୋଳନକାରୀ କୃଷକ ନିଜ କବଜାକୁ ନେଇ ଟିକସ ଆଦାୟକୁ ଫ୍ରି କରିବା ପରେ ଆଜି ଟ୍ରାକ୍ଟର ରାଲି ବାହାର କରିବାର କାର୍ଯ୍ୟକ୍ରମ ରହିଛି ।

ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କ ସମର୍ଥନରେ ଆଜି ରାଜସ୍ତାନର ବହୁ ସଂଖ୍ୟାରେ ଚାଷୀ ଟ୍ରାକ୍ଟର ରାଲି ବାହାରି କରିବାକୁ ଘୋଷଣା କରିଛନ୍ତି । ଏବଂ ଦିଲ୍ଲୀ – ଜୟପୁର ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି । ଆସନ୍ତାକାଲି ଅର୍ଥାତ ୧୪ ତାରିଖରେ ଦେଶବ୍ୟାପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ସିଂଘୁ ବର୍ଡରରେ କୃଷକ ନେତାମାନେ ଆମରଣ ଅନଶନରେ ବସିବେ ବୋଲି ଘୋଷଣା କରିଛନ୍ତି । ଶନିବାର ସିଂଘୁ ସୀମରେ କୃଷକ ସଂଗଠନର ବୈଠକ ପରେ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି ଚାଷୀ ନେତା । କୃଷକ ନେତା କହିଛନ୍ତି, କେନ୍ଦ୍ର ସରକାରଙ୍କ ନିକଟରେ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ କିଛି ବାଟ ନାହିଁ । ସେଥିପାଇଁ ନିଜର ଜିଦକୁ ଲୁଚାଇବା ପାଇଁ କୃଷକ ଆନ୍ଦୋଳନକୁ ବିଭିନ୍ନ ବାହାନା କରି ବଦନାମ କରିବାକୁ ଯୋଜନା କରୁଛନ୍ତି ସରକାର ।

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ଅଡି ବସିଥିଲେ ମଧ୍ୟ ଏକ ଭଲ ଖବର ସାମନାକୁ ଆସିଛି । ଦିଲ୍ଲୀ – ନୋଇଡା ଚିଲ୍ଲା ସୀମାକୁ ଖୋଲି ଦିଆଯାଇଛି । ରାସ୍ତା ଉପରେ କରାଯାଇଥିବା ସମସ୍ତ ବ୍ୟାରିକେଡିଂକୁ ହଠାଇ ଦେଇଛି ପୋଲିସ । ଚିଲ୍ଲା ସୀମା ୧୨ ଦିନ ହେଲା ବନ୍ଦ ଥିଲା । କୃଷକ ସଂଗଠନର ଏକ ପ୍ରତିନିଧି ଦଳ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ଆଲୋଚନା କରିବା ପରେ ଏହି ସୀମାକୁ ଖୋଲା ଯାଇଥିବା ଜଣାପଡିଛି । ପ୍ରତିରକ୍ଷା ମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ହୋଇଥିଲା । ଏଥିରେ ୫ ଜଣିଆ କୃଷକ ପ୍ରତିନିଧି ଉପସ୍ଥିତ ଥିଲେ । କୃଷକ ନେତାମାନେ ରାଜନାଥଙ୍କ ସମ୍ମୁଖରେ ୧୮ ସୂତ୍ରୀ ଦାବି ରଖିଥିଲେ । ଏଥିରେ କୃଷକ ଆୟୋଗ ଗଠନ ମୁଖ୍ୟ ଦାବି ରହିଛି । ତେବେ ଦାବି ମଧ୍ୟରେ ଏମଏସପି ନଥିବା ଜଣାପଡିଛି । ତେବେ ପ୍ରଶ୍ନ ଉଠୁଛି ରାଜନାଥଙ୍କ ସହ ଆଲୋଚନା କରିଥିବା ଏହି ପ୍ରତିନିଧି ଦଳ ଆନ୍ଦୋଳନ କରୁଥିବା କୃଷକଙ୍କ ନେତା ନା ଅନ୍ୟ କେହି । କାରଣ ଆନ୍ଦୋଳନକାରୀ କୃଷକଙ୍କ ପ୍ରଥମ ଦାବି ଏମଏସପି ରହିଥିବାବେଳେ ଏମାନଙ୍କ ଦାବିରେ ଏହା ସ୍ଥାନ ପାଇ ନାହିଁ ।