ଡେଡଲାଇନ୍ ସରିଲା, ଆନ୍ଦୋଳନ ଆରମ୍ଭ ହେଲା । ସରକାରଙ୍କୁ ଚେତାବନୀ ଦେଲେ ଚାଷୀ, ସମସ୍ୟା ପୂରଣ ନ ହେଲେ ସରକାରୀ ଅଫିସରେ ତାଲା ପଡିବ । ନେତା ଓ ବିଧାୟକଙ୍କ ଘର ସାମ୍ନାରେ ଧାନ ଗଦାହେବ

448

କନକ ବ୍ୟୁରୋ : ବିଧାନସଭାରେ ଧାନ ଝଡକୁ ଦେଖାଦେଇଛି ଅଚଳାବସ୍ଥା । ଗୃହକୁ ୩ଟା ଯାଏଁ ବାଚସ୍ପତି ମୁଲତବୀ କରିଥିବା ବେଳେ ଏବେ ଏହି ସମସ୍ୟାର ସମାଧାନ ପାଇଁ ବସିଛି ବଡ ବୈଠକ । ମଣ୍ଡିରୁ ଧାନ ବିକ୍ରି ସମସ୍ୟା ଦୂର କରିବା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ପଶ୍ଚିମ ଓଡ଼ିଶାର ସମସ୍ତ ବିଧାୟକ ଓ ନେତା ଏହି ବୈଠକରେ ଉପସ୍ଥିତ ଥିବା ବେଳେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇଛନ୍ତି । ଏହାଛଡା ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ ଓ ସଞ୍ଜୟ ଦାସବର୍ମା ଏବଂ ସମବାୟ ସଚିବ ମଧ୍ୟ ଉପସ୍ଥିତ ରହିଛନ୍ତି ।

ଗୋଟିଏ ପଟେ ମଣ୍ଡିରେ ଧାନ ବିକ୍ରି ସମସ୍ୟାର ସମାଧାନ ପାଇଁ ବୈଠକ ବସିଥିବା ବେଳେ ଅନ୍ୟପଟେ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ବରଗଡରେ ତେଜିଲା ଚାଷୀ ଆନ୍ଦୋଳନ । ପ୍ରଶାସନ ଓ ଚାଷୀ ମୁହାଁମୁହିଁ ସ୍ଥିତିରେ । ପ୍ରଶାସନ ଚାଷୀଙ୍କ ସହିତ ଆଲୋଚନା କରିବାକୁ ଉଦ୍ୟମ କରିିଥିଲେ ମଧ୍ୟ ସେଥିରୁ କୌଣସି ଫଳ ମିଳିନି । ଉପଜିଲ୍ଲାପାଳ ଆନ୍ଦୋଳନ ରତ ଚାଷୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ତାହା କୌଣସି ଫଳ ବାହାର କରିପାରନି । ଶେଷରେ ଉପଜିଲ୍ଲାପାଳଙ୍କ ଅଫିସରେ ତାଲା ପକାଇଛନ୍ତି ଉତ୍ୟକ୍ତ ଚାଷୀ ।

ସେହିଭଳି ସମ୍ବଲପୁର ଜିଲ୍ଲାରେ ବି ଦେଖିବାକୁ ମିଳିଛି ଚାଷୀଙ୍କ ଆନ୍ଦୋଳନ । ସମ୍ବଲପୁରରେ ଚାଉଳ ମିଲ ଗୁଡିକର ମଧୁଚନ୍ଦ୍ରିକା ଭିତରେ ଚାଷୀ ଏଥର ଅଭାବୀ ବିକ୍ରିର ସାମ୍ନା କରିବା ଆଶଙ୍କା କରୁଛି । ଗତ ୧୫ ତାରିଖରୁ ମଣ୍ଡି ଖୋଲିଲାଣି, ହେଲେ ବିକ୍ରି ହୋଇନପାରି ମଣ୍ଡିରେ ପଡ଼ିରହିଛି ହଜାର ହଜାର କ୍ୱିଂଟାଲ ଧାନ । ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଧାନ ବିକ୍ରି କରୁନାହାନ୍ତି ଚାଷୀ । ଏହି ସମସ୍ୟାର ସମାଧାନ କରିବାକୁ ଗତ ୧୫ ତାରିଖରେ ୭୨ ଘଣ୍ଟିଆ ଡେଡଲାଇନ ଦେଇଥିଲେ ଚାଷୀ । କିନ୍ତୁ ଏହି ସମସ୍ୟାର ସମାଧାନ ନ ହେବାରୁ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛନ୍ତି ଚାଷୀ । ଏପରିକି ଦାବି ପୂରଣ ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ପଶ୍ଚିମ ଓଡ଼ିଶାର ସମସ୍ତ ବିଧାୟକଙ୍କ ଘର ସାମ୍ନାରେ ଧାନ ଢଳା ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

ଚାଷୀଙ୍କ ଅଭିଯୋଗ, ଟୋକନ୍ ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ପରିମାଣର ଧାନ ବିକ୍ରି ହୋଇପାରିବ । ଏଥର ଭଲ ଅମଳ ହୋଇଛି । ତେଣୁ ବଳକା ଧାନ କେମିତି ବିକିବ ଚାଷୀ । ଏସବୁକୁ ନେଇ ସମ୍ବଲପୁରରୁ ନେଇ ବରଗଡ ଯାଏଁ ଦେଖିବାକୁ ମିଳିଛି ଚାଷୀ ଅସନ୍ତୋଷ ।