ଆଜିଠୁ ଚାଷୀ ସଂଘର ଦିଲ୍ଲୀ ଚଲୋ ଆନ୍ଦୋଳନ । କେନ୍ଦ୍ର ମନ୍ତ୍ରୀଙ୍କ ସହ ଚାଷୀ ସଂଘର ବୈଠକ ଫେଲ

136

କନକ ବ୍ୟୁରୋ : ବିଭିନ୍ନ ଦାବି ନେଇ ଆଜିଠୁ ଚାଷୀ ସଂଗଠନର ଦିଲ୍ଲୀ ଚଲୋ ଆନ୍ଦୋଳନ । ଗତକାଲି ଚଣ୍ଡିଗଡରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ଓ ଅର୍ଜୁନ ମୁଣ୍ଡାଙ୍କ ସହ ଚାଷୀ ସଂଗଠନର ବୈଠକ ବିଫଳ ହୋଇଛି । ଫସଲର ଏମଏସପି ପ୍ରସଙ୍ଗରେ କୌଣସି ବୁଝାମଣା କରିବାକୁ ଚାଷୀ ସଂଗଠନ ଅଡିବସିବାରୁ ବୈଠକ ଫେଲ ମାରିଥିବା ସୂଚନା ମିଳିଛି ।

ଆଜି ଦିନ ୧୦ଟାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଘୋଷଣା କରିଛନ୍ତି ହରିୟାଣା ଓ ପଞ୍ଜାବର ବିଭିନ୍ନ ଚାଷୀ ସଂଗଠନ । ଦିଲ୍ଲୀରେ ଏକଜୁଟ ହୋଇ ବଡ ଧରଣ ପ୍ରଦର୍ଶନ କରିବାକୁ ଚାଷୀ ସଂଗଠନ ଯୋଜନା କରିଛନ୍ତି । ଦିଲ୍ଲୀକୁ ପ୍ରବେଶ କରିବା ପାଇଁ ଏବେ ସୀମାରେ ପ୍ରାୟ ୨୦ ହଜାର ଚାଷୀ ଓ ୨୫ଶହ ଟ୍ରାକ୍ଟର ଅପେକ୍ଷା କରିଛନ୍ତି । ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମଏସପି ଉପରେ ଆଇନଗତ ଗ୍ୟାରେଂଟି, ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବା, ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା ଏବଂ ପେନସନ୍ ବ୍ୟବସ୍ଥା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ, ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଆଦି ଦାବି ରଖିଛନ୍ତି । ପୂର୍ବରୁ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ସମୟରେ ହୋଇଥିବା ସମସ୍ୟାକୁ ଆଖିରେ ରଖି ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର । ଆଲୋଚନା ଜରିଆରେ ସରକାର ସମାଧାନ କରାଯିବ ବୋଲି କହୁଥିବା ବେଳେ ଦିଲ୍ଲୀ ପୋଲିସ ସୀମା ସିଲ କରିବା ସହ କଟକଣା ଜାରି କରିଛି ।

ଦିଲ୍ଲୀରେ ଆଗାମୀ ଏକ ମାସ ପର୍ଯ୍ୟନ୍ତ ବିଶାଳ ସମାବେଶ ଓ ରାଲି ଉପରେ ଲାଗିଲା ପ୍ରତିବନ୍ଧକ । ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ କୌଣସି ପ୍ରକାର ବିଶାଳ ସମାବେଶର ଆୟୋଜନ ହୋଇ ପାରିବ ନାହିଁ । ଏପରିକି ସରକାରଙ୍କ ଉପରେ ଚାପ ପକାଇବାକୁ ସେମାନେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରଗୃହମନ୍ତ୍ରୀଙ୍କ ବାସଭବନ ଆଗରେ ଆନ୍ଦୋଳନ କରିବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ ବୋଲି ସତର୍କ କରିଦେଇଛି ଦିଲ୍ଲୀ ପୋଲିସ ।