କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର ଚାଷୀ ଗତକାଲି ରାଜଧାନୀର ଗାନ୍ଧୀ ମାର୍ଗରେ ଗର୍ଜିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରର କମ୍ପାନି ପ୍ରୀତି ତଥା ଚାଷୀ ବିରୋଧୀ ନୀତି ବିରୋଧରେ ବର୍ଷିଛନ୍ତି । ସରକାରୀ କର୍ମଚାରୀ ଓ ବିଧାୟକଙ୍କ ଦରମା ବଢ଼ୁଥିବା ବେଳେ ଚାଷୀଙ୍କୁ ନିଜର ଉତ୍ପାଦିତ ଦ୍ରବ୍ୟର ଉଚିତ୍ ଦ୍ରବ୍ୟ ମିଳୁ ନ ଥିବା ନେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ଵୟ ସମିତି ପକ୍ଷରୁ ଗତକାଲି ରାଜଧାନୀରେ କୃଷକ ଅଧିକାର ଚେତାବନୀ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଜୟ କିଷାନ ଆନ୍ଦୋଳନର ପ୍ରତିଷ୍ଠାତା ଯୋଗେନ୍ଦ୍ର ଯାଦବ ଯୋଗ ଦେଇ କହିଲେ, ଦେଶୀବ୍ୟାପୀ ଚାଷୀଙ୍କୁ କେଉଁଠି ବି ନିଜ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ମିଳୁନାହିଁ । ସେ ଓଡ଼ିଶା ହେଉ ବା ଉତ୍ତର ପ୍ରଦେଶ, ସବୁଠାରେ ଚାଷୀଙ୍କ ସମାନ ଅବସ୍ଥା । ଚାଷୀ ଚିନ୍ତାରେ ଥିବା ବେଳେ ସରକାରଙ୍କ ସମ୍ବେଦନଶୀଳତା ନାହିଁ । ୨୦୧୪ ନିର୍ବାଚନ ସମୟରେ ସ୍ୱାମୀନାଥନ କୃଷକ କମିସନ ରିପୋର୍ଟକୁ କାର୍ଯ୍ୟକାରୀ କରିବା ପାଇଁ ମୋଦି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୩ବର୍ଷ ବିତି ସାରିଲାଣି, ମୋଦି ସରକାର ଏହାକୁ ଲାଗୁ କରିବାରେ ବିଫଳ ହୋଇଛନ୍ତି । ମୋଦି ସରକାର ହେଉଛି ଦେଶ ଇତିହାସରେ ସବୁଠାରୁ ବଡ଼ ଚାଷୀ ବିରୋଧୀ ସରକାର। ଯଦି ୨୦୧୧ରୁ କେନ୍ଦ୍ର ସରକାର ସ୍ୱାମୀନାଥନ କମିସନ ରିପୋର୍ଟକୁ ଲାଗୁ କରିଥାନ୍ତେ ତେବେ ଚାଷୀ ଆତ୍ମହତ୍ୟା କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା । ସେହିପରି ଓଡ଼ିଶା ସରକାରଙ୍କୁ ମଧ୍ୟ ଖୁବ୍ ସମାଲୋଚନା କରିଥିଲେ ଶ୍ରୀ ଯାଦବ। ସେ କହିଥିଲେ, ରାଜ୍ୟ ସରକାର ଯଦି ଚାଷୀଙ୍କ ସମସ୍ୟା ସମାଧାନ ନ କରିପାରୁଛନ୍ତି ତାହାକୁ ଛାଡ଼ି ଦିଅନ୍ତୁ । ମାତ୍ର ରାଜ୍ୟରେ ଯେଉଁ ଚାଷୀ ଆତ୍ମହତ୍ୟା କରୁଛନ୍ତି ତାହାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱୀକାର କରନ୍ତୁ ।
କୃଷକ ସମାବେଶ ଅଭ୍ୟର୍ଥନା ସମିତିର ଆବାହକ ପ୍ରଫୁଲ୍ଲ ସାମନ୍ତରା କହିଲେ, ୧୯୯୦ ମସିହା ପରେ ଦେଶରେ ଯେଉଁ ପୁଞ୍ଜିବାଦୀ ନୀତି ତିଆରି ହୋଇଛିିତାହା ଯୋଗୁଁ ଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ୫ବର୍ଷରେ ରାଜ୍ୟରେ ୫ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି । ଏଥିରେ ୮୦ ପ୍ରତିଶତ ହେଉଛନ୍ତି ଭାଗଚାଷୀ ଓ କ୍ଷୁଦ୍ରଚାଷୀ । ଅନ୍ୟମାନଙ୍କ ମଧ୍ୟରେ କିଷାନ ସଭାର ସଭାପତି ପୂର୍ବତନ ସାଂସଦ ହନନ ମୋଲ୍ଲା, ଡା.ସୁନୀଲମ୍ ଓ ଅନ୍ୟମାନେ ସାମିଲ ହୋଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତିକୁ ସମାଲୋଚନା କରିଥିଲେ । ସମାବେଶରେ ସମିତି ପକ୍ଷରୁ ୮ ଦଫା ଦାବି ଉପସ୍ଥାପନ କରାଯାଇଥିଲା । ସ୍ୱାମୀନାଥନ କୃଷକ କମିସନ ସୁପାରିସ୍ ମୁତାବକ ସର୍ବନିମ୍ନ ସହାୟକ ଦର ନିର୍ଧାରଣ ସମୟରେ ଉତ୍ପାଦନ ଖର୍ଚର ଦେଢ଼ଗୁଣ ସୂତ୍ରକୁ ଲାଗୁ କରାଯାଉ । ଆର୍ଥିକ ସଂକଟ ଦେଇ ଗତି କରୁଥିବା କୃଷକମାନଙ୍କ ସମସ୍ତ କୃଷି ଋଣ ଥରକ ପାଇଁ ସଂପୂର୍ଣ୍ଣ ଛାଡ଼ କରାଯାଉ । ମରୁଡ଼ିର ଶିକାର ପଞ୍ଚାୟତଗୁଡ଼ିକୁ ଶୀଘ୍ର ମରୁଡ଼ି ଅଞ୍ଚଳ ଘୋଷଣା କରାଯାଉ ବୋଲି ଦାବି କରିଥିଲେ ।
ଏହି ପରିପ୍ରେକ୍ଷୀରେ ଆସନ୍ତାମାସ ୨୦ତାରିଖରେ ଦିଲ୍ଲୀରେ ୧୦ଲକ୍ଷରୁ ଅଧିକ ଚାଷୀ ସାମିଲ ହୋଇ କେନ୍ଦ୍ର ସରକାରଙ୍କୁ ଘେରିବେ ବୋଲି ସମାବେଶରେ ସୂଚନା ଦିଆଯାଇଥିଲା । ଗତକାଲିର ଚାଷୀ ସମାବେଶକୁ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ଵୟ ସମିତିର ଆବାହକ ଅଶୋକ ପ୍ରଧାନ, ଲିଙ୍ଗରାଜ, ଦେବୀ ପୃଷ୍ଟି, କିଶୋର ଦାସ, ଅରୁଣ ଜେନା, ସୀମାଞ୍ଚଳ ନାହାକ, ନିରଞ୍ଜନ ପ୍ରଧାନ, ଉତ୍ପନ୍ନ ଭୋଇ, ବ୍ୟୋମକେଶ ଠାକୁର, ବାଳକୃଷ୍ଣ ଷେଣ୍ଢ ଓ ଦିଲ୍ଲୀପ ବଢ଼େଇ ପ୍ରମୁଖ ନେତୃତ୍ୱ ନେଇଥିଲେ ।