୧୭ଦିନରେ ଚାଷୀଙ୍କ ଆନ୍ଦୋଳନ । ଟୋଲ ପ୍ଲାଜାରେ ଯାତାୟତ ବନ୍ଦ କଲେ ଆନ୍ଦୋଳନରତ ଚାଷୀ । ସେପଟେ ୧୪ତାରିଖରେ ଦେଶବ୍ୟାପୀ ଧର୍ମଘଟ ବେଳେ କୃଷକ ନେତାଙ୍କ ଆମରଣ ଅନଶନ ଘୋଷଣା

99

କନକ ବ୍ୟୁରୋ : ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ଏବେ ଟୋଲ ପ୍ଲାଜା ଗୁଡିକ ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି । ସରକାରଙ୍କ ସହ ପର୍ଯ୍ୟାୟ ପରେ ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ ଏଯାଏଁ କୌଣସି ସମାଧାନର ବାଟ ଫିଟିନାହିଁ । ଏଣୁ ଦିଲ୍ଲୀର ୫ଟି ପ୍ରବେଶ ପଥରେ ଅଡି ବସିଛନ୍ତି ଚାଷୀ । ଏପରିକି ଶନିବାର ଦିନ ହରିୟାଣା ଓ ଉତରପ୍ରଦେଶର ଟୋଲ ଗେଟ ଗୁଡିକରେ ଯାତାୟତ ବନ୍ଦ କରିଦେଇଥିଲେ । ଚାଷୀ ଆନ୍ଦୋଳନକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେପଟେ ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ପୁଣି ଥରେ ଲିଖିତ ଭାବେ ପ୍ରତିଶ୍ରୁତି ଦାବି କରିଛନ୍ତି ଚାଷୀ ନେତା ।

ରାଜଧାନୀ ରାଜରାସ୍ତାରେ ଅନ୍ନଦାତାଙ୍କ ଆନ୍ଦୋଳନ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ କୃଷି ଆଇନ ନେଇ ପ୍ରତିକ୍ରିୟା ରଖିଛନ୍ତି । ନୂଆ କୃଷି ଆଇନ ଚାଷୀଙ୍କ ଆୟ ବଢାଇବ ବୋଲି କହିଛନ୍ତି ମୋଦୀ ।

ଗାଜିପୁର ସୀମା, ସିଂଘୁ ବୋର୍ଡର ଓ ଟିକରି ସୀମା । ସବୁଠି ଜଗି ବସିଛନ୍ତି ଚାଷୀ । ଦିଲ୍ଲୀର ଗାଜିପୁର ସୀମାରେ ହଜାର ହଜାର କୃଷକ । ଚାଷୀଙ୍କ ବଢୁଥିବା ସଂଖ୍ୟାକୁ ଦେଖି ଡ୍ରୋନ ସାହାଯ୍ୟରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଛି । ସିଂଘୁ ବୋର୍ଡରରେ ବି ସମାନ ଦୃଶ୍ୟ । ଦିଲ୍ଲୀର ପ୍ରବେଶ ପଥରେ ଜଗି ରହିଛନ୍ତି ହଜାର ହଜାର ଚାଷୀ । ପୋଲିସ ବି ସଜାଗ ଅଛି । ଟିକରି ସୀମାରେ ବି ପ୍ରତିବାଦ କରୁଛନ୍ତି ଶହଶହ ଚାଷୀ । ତେବେ ରବିବାର ଦିନ ଟ୍ରାକ୍ଟର ରାଲି କରିବାକୁ ବି ଘୋଷଣା କରିଛନ୍ତି । ସେପଟେ ସରକାର ଓ ଚାଷୀ ନେତାଙ୍କ ଭିତରେ ଆଲୋଚନା ଉପରେ ନଜର ରଖିଛନ୍ତି ।

ଗୋଟିଏ ପଟେ ଦିଲ୍ଲୀର ଛାତି ଉପରେ ବସି ନିଜ କଥା ମନାଇନେବାକୁ ଦିଲ୍ଲୀରେ ଡେରା ପକାଇଛନ୍ତି ଚାଷୀ । ଅନ୍ୟପଟେ ସରକାର ବି ସେମାନଙ୍କ ସବୁ ସମସ୍ୟାକୁ ଶୁଣି ସମାଧାନର ବାଟ ବାହାର କରିବାକୁ ଖୋଲା ମନରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ହେଲେ ଏହି ଛକାପଂଝା କେବେ ସରିବ ଓ କେବେ ସମାଧାନର ରାସ୍ତା ବାହାରିଲେ ଦେଶର ଅନ୍ନଦାତା ରାଜରାସ୍ତା ଛାଡି କ୍ଷେତକୁ ଫେରିବ ତାକୁ ହିଁ ଅପେକ୍ଷା ।