କନକ ବ୍ୟୁରୋ : ଏପଟେ ପଶ୍ଚିମ ଓଡିଶାରେ ବି ତେଜିଛି ଚାଷୀ ଆନ୍ଦୋଳନ । ଧାନ ମଣ୍ଡିରେ ଦେଖା ଦେଇଥିବା ସମସ୍ୟା ଓ ଟୋକନ ଅବ୍ୟବସ୍ଥାକୁ ନେଇ ତାତିଛନ୍ତି ଚାଷୀ । ପଶ୍ଚିମ ଓଡିଶାର ବିଭିନ୍ନ ସହରର ରାଜରାସ୍ତାକୁ ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି କୃଷକ ସଂଗଠନ । ଅନ୍ୟପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଚାଷୀ ନାଁରେ ନ୍ୟସ୍ତସ୍ୱାର୍ଥ ଲୋକ ଏପରି କାମ କରୁଛନ୍ତି । କହିଛନ୍ତି ବର୍ତମାନ ସୁଦ୍ଧା ରାଜ୍ୟରେ ୪ ଲକ୍ଷ ୬୮ ହଜାର ୧୧୦ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ୭୧ ହଜାର ୭୪୪ ଜଣ ଚାଷୀଙ୍କୁ ଧାନ ବାବଦ ୫୭୦ କୋଟି ଦିଆ ଯାଇଛି ।
ଧାନ ମଣ୍ଡିର ବିଭିନ୍ନ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ପଶ୍ଚିମ ଓଡିଶାର ଚାଷୀ ସଂଗଠନ । ସମ୍ବଲପୁର ଚୌଧୁରୀ ଛକ ନିକଟରେ ଟ୍ରାକ୍ଟର ଟ୍ରାକ୍ଟର ଧାନ ରଖି ବମ୍ବେ-କଲିକତା ରାଜପଥକୁ ଅବରୋଧ କରିଛନ୍ତି କୃଷକ । ବଲାଙ୍ଗିର ଜିଲ୍ଲା କଂଟାବାଂଞ୍ଜି ନିକଟ କପାଣି ଠାରେ କୃଷକ ସଂଗଠନ ଓ କୌଶଳ ଏକତା ମଂଚ ପକ୍ଷରୁ ରାସ୍ତାରେ ହଳ ଲଙ୍ଗଳ, ଧାନ କପା ବସ୍ତା ରଖି ବିରୋଧ ପ୍ରଦର୍ଶନ କରାଯାଇଛି ।
ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ବୀରମହାରାଜପୁର ଉଫୁଲା ଛକଠାରେ ୪ ଦଫା ଦାବିରେ ରାସ୍ତା ରୋକ କରିଛନ୍ତି । ବରଗଡ ଅତାବିରା ଠାରେ ୫୩ ନଂବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଜୟ କିଷାନ ଆନ୍ଦୋଳନ ଓ ପଶ୍ଟିମ ଓଡିଶା କୃଷକ ସଂଗଠନ । ଦେବଗଡରେ ବି ରାସ୍ତା ରୋକ କରିଛନ୍ତି ଚାଷୀ । ରାସ୍ତା ଅବରୋଧ ଯୋଗୁଁ ଯାତାୟତ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ପଶ୍ଚିମ ଓଡିଶା ଚାଷୀ ସଂଗଠନର ଦାବି ଗୁଡିକ ହେଉଛି ।
ଟୋକନ ଓ ଏକର ପିଛା ଧାର୍ଯ୍ୟ ହୋଇଥିବା ଧାନର ପରିମାଣ ବୃଦ୍ଧି ଦାବି
ସର୍ବନିମ୍ନ ସହାୟକ ମୂଲ୍ୟ ଓ ବିନା କଟନୀରେ ଧାନ ବିକ୍ରି
ପ୍ରତି ପଂଚାୟତରେ କପା ମଣ୍ଡି ଖୋଲାଯାଉ
କ୍ରଫ କଟିଙ୍ଗ ରିପୋର୍ଟ ଆଧାରରେ ଧାନ ବିକ୍ରି
ଟୋକନ ବ୍ୟବସ୍ଥାରେ ସୁଧାର ଅଣାଯାଉ
ଟୋକନ ପରିଚାଳନା ଜିଲ୍ଲାପାଳଙ୍କୁ ଦିଆଯାଉ
ଏକର ପିଛା ଧାନ କ୍ରୟ ନିଷ୍ପତ୍ତି ଜିଲ୍ଲାସ୍ତରର ନିଆଯାଉ
ଏପଟେ ଚାଷୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି କିଛି ନ୍ୟସ୍ତ ସ୍ୱାର୍ଥ ଲୋକ ଚାଷୀଙ୍କ ନାଁରେ ଏପରି ଆନ୍ଦୋଳନ କରୁଛନ୍ତି । ଚଳିତ ବର୍ଷ ୫୬ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି । ୧୬ ଜିଲ୍ଲାରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ବାକି ୧୪ ଜିଲ୍ଲା ସ୍ତରୀୟ କମିଟିର ନିଷ୍ପତିରେ ଧାନ ସଂଗ୍ରହ ଆରମ୍ଭ ହେବ ।
ସରକାର ଚାଷୀଙ୍କ ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କୃଷକ ନେତା ଚେତେଇ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/12/vlcsnap-2020-12-05-20h39m47s887-2.png)