ଧାରଣାରେ ବସିଛନ୍ତି ଚାଷୀ, ସେପଟେ ବିଜେପି କରିଛି ଚକାଜାମ୍ । ତୁରନ୍ତ ମଣ୍ଡି ସମସ୍ୟାର ସମାଧାନ ନହେଲେ, ରାଜ୍ୟରେ ଆନ୍ଦୋଳନ ଜୋରଦାର ହେବ ବୋଲି କହିଲେ ଚାଷୀ ନେତା

60

କନକ ବ୍ୟୁରୋ : ସାରା ରାଜ୍ୟରେ ଧାନ ମଣ୍ଡିର ସମସ୍ୟାକୁ ନେଇ ଚାଷୀ କରିଛନ୍ତି ଆନ୍ଦୋଳନ । ଆଜି ପଶ୍ଚିମ ଓଡିଶାରେ ଏହାର ପ୍ରତିବାଦରେ ୩ ଘଂଟିଆ ଚକାଜାମ୍ କରିଥିଲା ବିଜେପି । ଏପଟେ ଧାରଣାରେ ବସିଛନ୍ତି ଚାଷୀ, ସେପଟେ ବିଜେପି କରିଛି ଚକାଜାମ୍ । ଏହାରି ଭିତରେ ତୁରନ୍ତ ମଣ୍ଡି ସମସ୍ୟା ସମାଧାନ ନହେଲେ, ରାଜ୍ୟରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚାଷୀ ନେତାଏଁ ଚେତାବନୀ ଦେଇଛନ୍ତି ।

ରାସ୍ତା ଉପରେ ଠିଆ ହୋଇଛି ଶହ ଶହ ଗାଡି ମୋଟର । ପ୍ରାୟ ୩ ଘଂଟା ଧରି ପଶ୍ଚିମଓଡିଶାରେ ଏମିତି ଚକାଜାମ୍ ହୋଇଛି । ମଣ୍ଡିରୁ ଧାନ ଉଠାଇବା ଦାବିରେ ପଶ୍ଚିମ ଓଡିଶାରେ ୫ଟି ଲୋକସଭା ଓ ୩୭ଟି ବିଧାନସଭା କ୍ଷେତ୍ରରେ ସବୁ ଜାତୀୟ ଓ ରାଜ୍ୟ ରାଜପଥରେ ଏଇମିତି ୩ ଘଂଟିଆ ଚକାଜାମ କରିଛି ବିଜେପି । ସଂବଲପୁର ପରି ସୁନ୍ଦରଗଡରେ ବି ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ଦିନ ୧୦ଟାରୁ ଗୋଟାଏ ଯାଏଁ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ଏମିତି ଚାଷୀ କରିଛନ୍ତି ଚକାଜାମ୍ ।

ଚାଷୀଙ୍କ ସମସ୍ୟା ସହିତ ସାମିଲ ହୋଇଛନ୍ତି ସ୍ଥାନୀୟ ବିଧାୟକ । ବଲାଙ୍ଗିର ଜିଲ୍ଲାର ପତ୍ରାପାଲି ମଣ୍ଡିରେ ଆମରଣ ଅନଶନରେ ବସିଛନ୍ତି କଂଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା । ସେପଟେ ବାହାରେ ଚାଷୀ , ଘର ଭିତରେ ବନ୍ଦ ହୋଇ ରହିଛନ୍ତି ତହସିଲଦାର, ବଲାଙ୍ଗିର ଏଆରସିଏସ ଏବଂ ପ୍ୟାକ୍ସ ସମ୍ପାଦକ । ମଣ୍ଡିରୁ ଧାନ ଉଠାଇବା ଦାବିରେ ଏ ହେଉଛି ବଲାଙ୍ଗିର ଜିଲ୍ଲାର ପୁଇଁତଳା ବ୍ଲକର ଛତାପିପଲ ଅଂଚଳର ଆନ୍ଦୋଳନର ଚିତ୍ର । ଏଠାରେ ନିଜେ ଚାଷୀଙ୍କ ସହ ଆନ୍ଦୋଳନରେ ବସିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ବସିଥିବା ବେଳେ ଚାଷୀଙ୍କୁ ବୁଝାଇବାକୁ ଆସିଥିବା ଅଧିକାରୀଙ୍କୁ ଏମିତି ଘର ଭିତରେ ତାଲା ପକାଇ ଅସନ୍ତୋଷ ଜାହିର କରିଛନ୍ତି ଚାଷୀ ।

କେବଳ ପଶ୍ଚିମଓଡିଶା ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଏମିତି ମଣ୍ଡି ସମସ୍ୟାର ଚିତ୍ର । ମଣ୍ଡିରୁ ଧାନ ଉଠାଇବା ପ୍ରତିଶ୍ରୁତି ଫେଲ୍ ମାରିବା ପରେ ୨ ଦିନ ଧରି ଖୋର୍ଧା ଜିଲ୍ଲାର ଶ୍ରୀଚନ୍ଦନପୁର ଅଂଚଳରେ ଧାରଣାରେ ବସିଛନ୍ତି ଚାଷୀ । କିଛି ଆନ୍ଦୋଳନକାରୀଙ୍କ ସ୍ୱାସ୍ଥ୍ୟ ବିଗିଡି ଥିଲେ ମଧ୍ୟ ଧାନ ଉଠାଇବା ଦାବିରେ ଅଟଳ ଅଛନ୍ତି ଚାଷୀ । ଚାଷୀଙ୍କ ଏହି ଧାନ ବିକ୍ରି ସମସ୍ୟା ତୁରନ୍ତ ସମାଧାନ କରାନଗଲେ ଆଗକୁ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି ଚାଷୀ ନେତାଏଁ ଚେତାବନୀ ଦେଇଛନ୍ତି ।