କୃଷି କାନୁନକୁ ନେଇ ପୁଣି ବିବାଦ । କୃଷକ ନେତା ରାକେଶ ଟିକାୟତ କହିଲେ ସରକାର ଆମକୁ ପିଟନ୍ତୁ କିନ୍ତୁ ବିନା ସର୍ତ୍ତରେ ଆଲୋଚନା କରନ୍ତୁ

83

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ପୁଣିଥରେ ଚର୍ଚ୍ଚାକୁ ଆସିଛି । କୃଷି ଆଇନ ପ୍ରତ୍ୟାହାର ହେବ ନାହିଁ କିନ୍ତୁ କୃଷକ ସଂଗଠନ ମାନଙ୍କ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ । କେନ୍ଦ୍ର କୃଷିମନ୍ତ୍ରୀଙ୍କ ଏଭଳି ବୟାନ ପରେ ଏହାର ଜବାବ୍ ରଖିଛନ୍ତି କୃଷକ ନେତା ରାକେଶ ଟିକାୟତ । ସେ କହିଛନ୍ତି କି ସରକାର ଆନ୍ଦୋଳନକାରୀ କୃଷକ ମାନଙ୍କୁ ବାଡି ଠେଙ୍ଗାରେ ପିଟନ୍ତୁ ହେଲେ ବିନା ସର୍ତ୍ତରେ ଆଲୋଚନା କରିବାକୁ ପ୍ରସ୍ତୁତ ରୁହନ୍ତୁ ।

କୃଷକ ନେତା ରାକେଶ ଟିକାୟତ କହିଛନ୍ତି କି ସରକାର ଏବେ ଏବେ ଯେଉଁ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ତାହା ସର୍ତ୍ତମୂଳକ । ସରକାର ଆଲୋଚନା କରିବାକୁ ରାଜି ଅଛନ୍ତି କିନ୍ତୁ ଆଇନ ପ୍ରତ୍ୟାହାର ପ୍ରସ୍ତାବ ବ୍ୟତୀତ ଆଲୋଚନା ସମ୍ଭବ ନୁହେଁ ବୋଲି ଟିକାୟତ କହିଛନ୍ତି । କୃଷକ ସଂଗଠନ ପକ୍ଷରୁ କୌଣସି ସର୍ତ୍ତ ନାହିଁ, କିନ୍ତୁ ଯଦି ସରକାର ଆଇନ ପ୍ରତ୍ୟାହାର ନେଇ ଚର୍ଚ୍ଚା କରିବାକୁ ଚାହାନ୍ତି ତେବେ କୃଷକ ସଂଗଠନ ମାନେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଟିକାୟତ କହିଛନ୍ତି ।

ଏହାସହ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି ଟିକାୟତ କହିଛନ୍ତି କି ଏହି ସରକାର ଯଦି କୌଣସି ରାଜନୈତିକ ଦଳର ହୋଇଥାନ୍ତା ତେବେ ନିଶ୍ଚିତ ୮ ମାସ ଧରି ଆନ୍ଦୋଳନରେ ବସିଥିବା କୃଷକମାନଙ୍କ ସହ ଆଲୋଚନା କରିଥାନ୍ତା । କିନ୍ତୁ ବିଡମ୍ବନାର ବିଷୟ ଏହି ସରକାର କୌଣସି ରାଜନୈତିକ ଦଳର ନୁହେଁ ବରଂ କମ୍ପାନୀ ମାନଙ୍କ ଇଙ୍ଗିତରେ ଚାଲୁଛି । ତେଣୁ କମ୍ପାନୀ ପ୍ରାୟୋଜିତ ସରକାର ବିରୋଧରେ ଲୋକମାନଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡିବ ।

ଗତକାଲି ମଣ୍ଡି ମାଧ୍ୟମରେ କୃଷକଙ୍କ ନିକଟରେ ୧ ଲକ୍ଷ କୋଟି ପହଂଚାଇବାକୁ ସରକାର ଘୋଷଣା କରିବା ପରେ ଏହାକୁ ନେଇ ଟିକାୟତ କହିଛନ୍ତି କି ଆମେ ଦାବି କରୁଛୁ କି ସରକାର କୃଷକ ମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ଦିଅନ୍ତୁ ଓ ୧ ଲକ୍ଷ କୋଟି ଯେଉଁଠି ଖର୍ଚ୍ଚ କରିବା କଥା କରନ୍ତୁ ।